ରାଜ୍ୟରେ କୋଭିଡ ସଂକ୍ରମଣ ଦୃତ ବେଗରେ ବଢ଼ିବା ପରେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ନେଇ ଆଶଙ୍କା ଦେଖାଯାଇଛି। ଉପରମୁହାଁ କୋଭିଡ ସଂକ୍ରମଣ ମଧ୍ୟରେ ନିର୍ବାଚନ ହେବ କି ନାହିଁ ସେ ନେଇ ସରକାରୀ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇବାକୁ ଲାଗିଲାଣି।
ଏଭଳି ପରିସ୍ଥିତିରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରଶାଦ ପାଢୀ ଗୁରୁତ୍ୱପୁର୍ଣ୍ଣ ବୈଠକ ଡାକିଛନ୍ତି। ଆଜି ପୁର୍ବାହ୍ନ ୧୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏବଂ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ସଚିବ ରାଜ କୁମାର ଶର୍ମା ଯୋଗ ଦେବେ।
ଏଭଳି ପରିସ୍ଥିତିରେ ସରକାରଙ୍କ ପାଇଁ ନିଷ୍ପତି ନେବା କଠିନ ହୋଇପାରେ। କାରଣ ରାଜ୍ୟରେ ଯେଉଁ ବେଗରେ ସଂକମଣ ବଢୁଛି ଏବଂ ସଂକ୍ରମିତଙ୍କ ମଧ୍ୟରେ ବହୁ ଶିଶୁ ଓ କିଶୋର ସଂକ୍ରମିତ ହେଉଛନ୍ତି। ଏହିପରି ସଂକ୍ରମଣର ଗତି ରହିଲେ ଆଗକୁ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠିପାରେ। ତେଣୁ ରାଜ୍ୟ ସରକାର କୌଣସି ପ୍ରାକାର ରିସ୍କ୍ ନେବାକୁ ଚାହିଁବେ ନାହିଁ। ରାଜ୍ୟରେ ସଂକ୍ରମଣର ବେଗକୁ ଲକ୍ଷ୍ୟ କରି ସାରକାରଙ୍କ ପକ୍ଷରୁ କିଛି ପରାମର୍ଶ ନିର୍ବାଚନ କମିଶନଙ୍କୁ ଦିଆଯାଇପାରେ।
ଖବର ମୁତାବକ ସଂପ୍ରତି ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିର୍ବାଚନ କରିପାରିବେ କି ନାହିଁ ସେ ବାବଦରେ ନିଷ୍ପତି ପାଇଁ କମିଶନ ବୈଠକ ଡାକିଛନ୍ତି। ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବା ପୁର୍ବରୁ କମିଶନ ସମସ୍ତ ଦିଗରୁ ତର୍ଜମା କରୁଥିବା ସୂଚନା ମିିଳିଛି।
ତେବେ ଆଜି ହେବାକୁ ଥିବା ବୈଠକରେ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ଅଧିକାରୀ ମାନେ କଣ ମତାମତ ଦେଉଛନ୍ତି ଏହା ନିର୍ବାଚନ ହେବା ନେଇ ଗୁରୁତ୍ୱପୁର୍ଣ୍ଣ ହୋଇପାରେ। ଆସନ୍ତା ୧୦ ତାରିଖରେ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଞ୍ଚାୟତ ଏବଂ ପୌର ନିର୍ବାଚନ ସ୍ଥଗିତ ରଖିବା ଦରକାର।
ନୂଆ ବର୍ଷ ଆରମ୍ଭରୁ ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଡିସେମ୍ବର ୩୧ ତାରିଖରେ ୨୨୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତକାଲି ୨୭୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦୃତ ବେଗରେ ସଂକ୍ରମଣ ବଢୁଥିବା ବେଳେ ପଞ୍ଚାୟତ ନିର୍ବବାଚନ ପରିସ୍ଥିତିକୁ ଆହୁରି ଜଟିଳ କରିପାରେ ବୋଲି ବିଶେଷଜ୍ଞ କହିଛନ୍ତି।