ନୂଆଦିଲ୍ଲୀ: କିଛି ସମୟ ଆଗରୁ ବିଜେଡି ଛାଡିଥିବା ସୁଜିତ କୁମାର ବିଜେପିରେ ମିଶିଛନ୍ତି । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସେ ସାମିଲ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବରିଷ୍ଠ ନେତା ଅରୁଣ ସିଂଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । । କିଛି ସମୟ ଆଗରୁ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ସୁଜିତ କୁମାର । ସୁଜିତ କୁମାର ଦଳ ଛାଡିବା ବିଜେଡିକୁ ଶକ୍ତ ଧକ୍କା ଲାଗିଛି ।
ସୁଜିତ ନିଜର ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ପାଖକୁ ପଠାଇ ଦେଇଛନ୍ତି । ୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିଲା । କାର୍ଯକାଳ ସରିବାର ପାଖାପାଖି ୨ବର୍ଷ ପୂର୍ବରୁ ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେଇ ରାଜ୍ୟ ରାଜନୀତିରେ ଚହଳ ପକାଇଛନ୍ତି । ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରିଛନ୍ତି । ପ୍ରେସ ରିଲିଜ ଜରିଆରେ ବିଜେଡି ପକ୍ଷରୁ ଏହାର ସୂଚନା ଦିଆଯାଇଛି । ସୁଜିତ ବିଜେଡି ଛାଡିବା ପରେ ତାଙ୍କର ବିଜେପିରେ ମିଶିବା ନେଇ ସ୍ପଷ୍ଟ ହୋଇ ଯାଇଥିଲା । ସେ ଜଣେ ବିଜେଡିର ଟାଣୁଆ ନେତା ଓ ସଂଗଠକ ଥିଲେ ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ମମତା ମହାନ୍ତ ଠିକ୍ ଅନୁରୂପ ଭାବେ ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡି ଛାଡିଥିଲେ । ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ । ବିଜେପି ତାଙ୍କୁ ପୁଣି ଥରେ ରାଜ୍ୟସଭା ସାଂସଦ ଭାବେ ଉଚ୍ଚ ସଦନକୁ ପଠାଇଛି । ଆଉ ତାଙ୍କ ରାସ୍ତାରେ ଏବେ ସୁଜିତ କୁମାର । ମମତା ଓ ସୁଜିତାଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିଜେଡି ସାଂସଦ ସଂଖ୍ୟା ୬କୁ ହ୍ରାସ ପାଇଛି ।