ନୂଆଦିଲ୍ଲୀ: ପୁଣି ଥରେ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଆସିଛି । କେଦାରନାଥ ଧାମରେ ୨୨୮ କିଲୋଗ୍ରାମ ସୁନା ଠକେଇ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ସୋମବାର ଦିନ ମୁମ୍ବାଇରେ ଉଦ୍ଧବ ଠାକରେଙ୍କ ବାସଭବନ ଛାଡିବା ପରେ ସେ ଏହା କହିଛନ୍ତି । କାହିଁକି ଏହାର ତଦନ୍ତ ହେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଦିଲ୍ଲୀରେ ଆଉ ଏକ କେଦାରନାଥ ଧାମ ପରି ମନ୍ଦିର ନିର୍ମାଣ କରିବାକୁ ଆଲୋଚନା ହେଉଛି । ଏହା ଉପରେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ମତାମତ କ’ଣ ବୋଲି ଗଣମାଧ୍ୟମ ପଚାରିଥିଲେ । ଏହାର ଉତ୍ତର ଦେଇ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ବାରଟି ଜ୍ୟୋତିର୍ଲିଙ୍ଗଙ୍କ ପାଇଁ ନିୟମ ରହିଛି । ତେଣୁ ଦ୍ୱିତୀୟ କେଦାରନାଥ ଧାମ ନିର୍ମାଣ ହୋଇପାରିବ ନାହିଁ । କେଦାରନାଥ ଧାମରୁ ୨୨୮ କିଲୋଗ୍ରାମ ସୁନା ଠକେଇ ହୋଇଛି । ଏହାର କୌଣସି ତଦନ୍ତ କରାଯାଉ ନାହିଁ କାହିଁକି ? ପୁଣି ଏକ କେଦାରନାଥ ଧାମ ନିର୍ମାଣ ହେଲେ ସେଠି ମଧ୍ୟ ଦୁର୍ନୀତି ହେବ ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିବା ପ୍ରଶ୍ନରେ ସେ କହିଛନ୍ତି ଯେ ସେ ମୋ ପାଖକୁ ଆସି ପ୍ରଣାମ କରିଥିଲେ । ମୁଁ ତାଙ୍କୁ ଆଶୀର୍ବାଦ କଲି । ନରେନ୍ଦ୍ର ମୋଦୀ ଆମର ଶତ୍ରୁ ନୁହଁନ୍ତି ବରଂ ଆମେ ତାଙ୍କର ଶୁଭେଚ୍ଛୁ, ସବୁବେଳେ ତାଙ୍କର କଲ୍ୟାଣ ଚାହୁଁ । ଯଦି ତାଙ୍କ ଦ୍ୱାରା କୌଣସି ଭୁଲ ହୁଏ ଆମେ ତାହା ବିଷୟରେ କହିବୁ ।
ସୂଚନା ଯୋଗ୍ୟ ଯେ ଗତ ବୁଧବାର ଦିନ ଦିଲ୍ଲୀର ବୁରାଡ଼ୀରେ କେଦାରନାଥ ମନ୍ଦିରର ମୂଳଦୁଆ ପକାଯାଇଥିଲା । ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଯୋଗ ଦେଇ ଥିଲେ । କିନ୍ତୁ କେଦାରନାଥ ଧାମର ପୁରୋହିତମାନେ ଏହାକୁ ତୀବ୍ର ବିରୋଧ କରିଥିଲେ ।