ନୂଆଦିଲ୍ଲୀ, ଜାନୁଆରୀ ୧୯ (ଖବର ଓଡ଼ିଶା): ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି (ବୁଧବାର) ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇପାରନ୍ତି। ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପାର୍ଟିର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅପର୍ଣ୍ଣା ଯାଦବ ବିଜେପିର ସଦସ୍ୟତା ଗ୍ରହଣ କରିବେ।
ସୂଚନାଯୋଗ୍ୟ, ଅପର୍ଣ୍ଣା ଯାଦବ ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସା କରିସାରିଛନ୍ତି। ଅପର୍ଣ୍ଣା ହେଉଛନ୍ତି ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ। ସେ ୨୦୧୭ ମସିହା ବିଧାନସଭା ନିର୍ବାଚନରେ ଲକ୍ଷ୍ନୌ କ୍ୟାଣ୍ଟରୁ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ମାତ୍ର ତାଙ୍କୁ ବିଜେପିର ରୀତା ବହୁଗୁଣା ଯୋଶୀଙ୍କ ହାତରୁ ପରାସ୍ତ ହେବାକୁ ପଡ଼ିଥିଲା। ବିଗତ କିଛି ଦିନ ହେବ ଅପର୍ଣ୍ଣା ବିଜେପିରେ ଯୋଗଦେବା ନେଇ ଅନୁମାନ କରାଯାଉଛି।
ଅପର୍ଣ୍ଣା ଯାଦବ ୧୯୯୦ ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ହେଉଛନ୍ତି ଅରବିନ୍ଦ ସିଂହ ବିଷ୍ଟ, ଯିଏକି ଜଣେ ସାମ୍ବାଦିକ। ଅପର୍ଣ୍ଣା ଯାଦବଙ୍କ ମା’ ଅମ୍ବି ବିଷ୍ଟ ଲକ୍ଷ୍ନୌ ନଗର ନିଗମରେ ଜଣେ ଅଧିକାରୀ ଅଛନ୍ତି। ଅପର୍ଣ୍ଣା ଯାଦବ ବ୍ରିଟେନ୍ର ମଞ୍ଚେଷ୍ଟର ୟୁନିଭରସିଟିରୁ ଇଣ୍ଟରନ୍ୟାସନାଲ ରିଲେଶନ ଆଣ୍ଟ ପଲିଟିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।
ଅପର୍ଣ୍ଣା ଯାଦବ ସ୍କୁଲରେ ପଢ଼ିବା ଦିନ ଠାରୁ ପ୍ରତୀକ ଯାଦବଙ୍କୁ ଜାଣିଥିଲେ। ଉଭୟଙ୍କ ମଧ୍ୟରେ ୨୦୧୦ରେ ନିର୍ବନ୍ଧ ହୋଇଥିଲା। ସେମାନେ ୨୦୧୧ରେ ବିବାହ କରିଥିଲେ। ଏହି ସମାରୋହ ମୁଲାୟମଙ୍କ ପୈତୃକ ଗାଁ ସୈଫଇରେ ହୋଇଥିଲା। ପ୍ରତୀକ ଓ ଅପର୍ଣ୍ଣାଙ୍କ ଏକ ଝିଅ ଅଛି, ଯାହାର ନାମ ପ୍ରଥମା। ଅପର୍ଣ୍ଣା ରାଜନୀତି ବ୍ୟତୀତ ସମାଜ ସେବା ଓ ସଂଗୀତକୁ ମଧ୍ୟ ଭଲ ପାଆନ୍ତି।