ପାଟଣା, ଅଗଷ୍ଟ ୧୩ (ଖବର ଓଡ଼ିଶା): ବିହାରରେ ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଗତ ୧୦ ତାରିଖ ଦିନ ମହାମେଣ୍ଟ ସରକାର ଆରମ୍ଭ ହୋଇଯାଇଛି । ଏହି ସରକାରରେ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେଜସ୍ୱୀ ଯାଦବ ୨୦୨୦ ବିଧାନସଭା ନିର୍ବାଚନ ପାଇଁ ଜାରି ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଥିଲେ ଯେ, ମହାମେଣ୍ଟ ସରକାର ଆସିଲେ, ରାଜ୍ୟର ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଦେବେ । ତେଜସ୍ୱୀ ଯାଦବ ଏବେ ଉପମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ କ’ଣ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିବେ କି, ବିହାରବାସୀଙ୍କ ମନରେ ଏବେ ଏହିଭଳି ପ୍ରଶ୍ନ ଆସୁଛି । ତେବେ ଜାତୀୟ ଗଣମାଧ୍ୟମ ପକ୍ଷରୁ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଦେବା ନେଇ ପଚରାଯିବାରୁ, ତେଜସ୍ୱୀ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ନାହାନ୍ତି । ଏହି ପ୍ରତିଶ୍ରୁତି ସେହି ସମୟରେ ପୂରା ହେବ, ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ହେବେ ।
ତେବେ ରାଜନୀତିରେ ସବୁବେଳେ ଏମିତି ହିଁ ହୋଇଥାଏ । ନିର୍ବାଚନରେ ନେତାମାନେ ଯେତେବେଳେ ଜିତି ଯାଆନ୍ତି, ନିଜେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି । ତେଜସ୍ୱୀ ଯାଦବ ନିଜର ପ୍ରତିଶ୍ରୁତିରୁ ବର୍ତ୍ତିବା ପାଇଁ ଏକ ବାହାନା କରିଛନ୍ତି । କିନ୍ତୁ ତେଜସ୍ୱୀ ଯାଦବ ନିର୍ବାଚନ ସମୟରେ ଘୋଷଣା ପତ୍ରରେ କହିଥିଲେ ଯେ, ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଦେବେ । ଏହି ଘୋଷଣାପତ୍ରରେ ମହାମେଣ୍ଟର ସବୁ ନେତାଙ୍କ ଫଟୋ ଲାଗିଥିଲା । ଏଥିରେ ଲେଖାଥିଲା ଯେ, ଆମର ସଂକଳ୍ପ ପରିବର୍ତ୍ତନ । ଏହି ଘୋଷଣାପତ୍ର ସତ୍ୟରେ ପରିଣତ ହେବ । ଘୋଷଣା ପତ୍ରରେ ରୋଜଗାରକୁ ପ୍ରଥମ ପ୍ରତିଶ୍ରୁତି ଭାବେ ନିଆଯାଇଥିଲା । ୪ ଲକ୍ଷ ହଜାର ପଦକୁ ପୂରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ୫ ଲକ୍ଷ ୫୦ ହଜାର ନୂଆ ପଦ ମଧ୍ୟ ନିଯୁକ୍ତି କରାଯିବ । ସବୁଠାରୁ ଜରୁରୀ କଥା ଉଲ୍ଲେଖ ଥିଲା ଯେ, ପ୍ରଥମ କ୍ୟାବିନେଟ ବୈଠକରେ ପ୍ରଥମ ଦସ୍ତଖତରୁ ଏହା ଆରମ୍ଭ କରିଦିଆଯିବ ।