ଜୟପୁର, ମେ ୨୭ (ଖବର ଓଡ଼ିଶା): ରାଜସ୍ଥାନ କଂଗ୍ରେସରେ ପୁଣି ଥରେ ବିବାଦ ଦେଖାଯାଇଛି । ବିଗତ ୪ ଦିନ ମଧ୍ୟରେ ୪ ଜଣ ବିଧାୟକଙ୍କର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ଜଣେ ସଚିବ ସହିତ ମତାନ୍ତର ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । କ୍ରୀଡା ମନ୍ତ୍ରୀ ଅଶୋକ ଚନ୍ଦନା ମୁଖ୍ୟମନ୍ତ୍ରୀ ଶ୍ରୀ ଗହଲୋତଙ୍କ ପ୍ରମୁଖ ସଚିବ କୁଲଦୀପ ରାଙ୍କାଙ୍କ ବିରୋଧରେ ଲେଖି ଇସ୍ତଫା ପାଇଁ ଉଦ୍ୟମ କରିଛନ୍ତି ।
ଗୁରୁବାର କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ, ମାନନୀୟ ମୁଖ୍ୟମନ୍ତ୍ରୀ, ମୋର ଆପଣଙ୍କର ଠାରେ ବ୍ୟକ୍ତିଗତ ଅନୁରୋଧ ଯେ, ମୋତେ ମନ୍ତ୍ରୀ ପଦରୁ ମୁକ୍ତ କରାଯାଉ । ମୋର ସମସ୍ତ ଦାୟିତ୍ୱ କୁଲଦୀପ ରାଙ୍କାଙ୍କୁ ଦିଆଯାଉ । କାରଣ ଏମିତିରେ ସେ ସବୁ ବିଭାଗର ମନ୍ତ୍ରୀ ଅଟନ୍ତି ।
ଏହା ପୂର୍ବରୁ ବୁଧବାର ଅନ୍ୟ ଜଣେ ବିଧାୟକ ମଧ୍ୟ ଗହଲୋତ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ଚିତ୍ତୋରଗଡ଼ରର ବେଗୁର କଂଗ୍ରେସ ବିଧାୟକ ରାଜେନ୍ଦ୍ର ବିଧୁଡି କହିଥିଲେ ଯେ, ସରକାରରେ କର୍ମକର୍ତ୍ତାଙ୍କୁ କେହି ଶୁଣୁନାହାନ୍ତି । ଏହି ସରକାରରେ କୌଣସି ବିଧାୟନ ନିର୍ବାଚନ ଜିତିପାରିବେ ନାହିଁ ।
କଂଗ୍ରେସରୁ ଇସ୍ତଫା ଦେଇସାରିଥିବା ଚେକୁ ଡୁଙ୍ଗରପୁର ବିଧାୟକ ଓ ଯୁବ କଂଗ୍ରେସର ସଭାପତି ଗଣେଶ ଘୋଘରା ଦିଲ୍ଲୀରେ କଂଗ୍ରେସ ସଂଗଡ଼ର ମହାସଚିବ କେସି ବେଣୁଗୋପାଳଙ୍କୁ ଭେଟି ଅଶୋକ ଗହଲୋତ ସରକାରଙ୍କୁ ଅଭିଯୋଗ କରିଛନ୍ତି । ପ୍ରତାପଗଡ଼ର ବିଧାୟକ ରାମଲାଲ ମୀନା ଟୁଇଟ କରି କଂଗ୍ରେସକୁ କହିଛନ୍ତି ଯେ, ଡୁଙ୍ଗରପୁର ଜିଲ୍ଲାରେ କଂଗ୍ରେସ ଶେଷ ହେବାକୁ ଯାଉଛି । ଏହାକୁ ବଞ୍ଚାଇ ନିଅନ୍ତୁ ।