ନୂଆଦିଲ୍ଲୀ/ମୁମ୍ବାଇ, ଜୁନ୍ ୨୨ (ଖବର ଓଡ଼ିଶା): ମହାରାଷ୍ଟ୍ରରେ ରାଜନୈତିକ ବିବାଦ ଦେଖାଯାଇଛି । ଶାସକ ଦଳର କିଛି ବିଧାୟକ ବିଦ୍ରୋହୀ ପାଲଟିଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ, ଉଦ୍ଧବ ଠାକରେ ନିଜର ଆସନ ବଞ୍ଚାଇ ପାରିବା ମଧ୍ୟ କଷ୍ଟସାଧ୍ୟ ହୋଇପାରେ । ମହାରାଷ୍ଟ୍ରର ରାଜନୀତିରେ ମଙ୍ଗଳବାର ବଡ଼ ପରିବର୍ତ୍ତନ ଦେଖାଯାଇଛି । ଏମଏଲସି ନିର୍ବାଚନରେ କ୍ରସ ଭୋଟିଂ କରିବା ପରେ ଶିବସେନାର ବରିଷ୍ଠ ନେତା ଓ ମନ୍ତ୍ରୀ ଏକନାଥ ଶିନ୍ଦେ ପାର୍ଟିର ଅନେକ ବିଧାୟକଙ୍କ ସହିତ ବିଦ୍ରୋହୀ ପାଲଟିଯାଇଛନ୍ତି । କୁହାଯାଉଛି ଯେ, ତାଙ୍କ ସହିତ ଶିବସେନାର ୩୩ ଜଣ ବିଧାୟକ ଅଛନ୍ତି । ଏଥି ସହିତ ୭ଜଣ ଅନ୍ୟ ଦଳ ଓ ସ୍ୱାଧୀନ ବିଧାୟକ ମଧ୍ୟ ତାଙ୍କୁ ସମର୍ଥନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ଅପରାହ୍ନ ୧ଟାରେ କ୍ୟାବିନେଟ ବୈଠକ ଡାକିଛନ୍ତି । ସେ କହିଛନ୍ତି ଯେ, ସମସ୍ତ ବିଧାୟକ ଖୁବ ଶୀଘ୍ର ଏକାଠି ହେବେ । ଏନସିପି-କଂଗ୍ରେସ ଆମ ସହିତ ଅଛନ୍ତି । ଅନ୍ୟଦଳର ବିଧାୟକ ଆମକୁ ହଇରାଣ କରୁଛନ୍ତି । ବିଜେପି ସହିତ ଶିବସେନାର ମେଣ୍ଟ ହୋଇପାରିବ ନାହିଁ ।
ସୂଚନାଯୋଗ୍ୟ, ମହରାଷ୍ଟ୍ରର ବିଧାନସଭାରେ ୨୮୮ ଜଣ ସଦସ୍ୟ ଅଛନ୍ତି । ସରକାର ଗଢ଼ିବାକୁ ହେଲେ ୧୪୫ ଜଣ ବିଧାୟକ ଦରକାର । ଶିବସେନାର ଜଣେ ବିଧାୟକଙ୍କ ପରଲୋକ ହୋଇଯାଇଛି । ଏବେ ବିଧାନସଭାରେ ୨୮୭ ଜଣ ବିଧାୟକ ଅଛନ୍ତି । ସରକାର ଗଢ଼ିବା ପାଇଁ ୧୪୪ ଜଣ ବିଧାୟକ ଦରକାର । ବିଦ୍ରୋହ ଆରମ୍ଭ ହେବା ପୂର୍ବରୁ ଶିବସେନା ନେତୃତ୍ୱରେ ମହା ବିକାସ ଅଘାଡିର ୧୬୯ ବିଧାୟକ ସମର୍ଥନ ମିଳିଥିଲା । ଅନ୍ୟପଟରେ ବିଜେପି ପାଖରେ ୧୧୩ ଜଣ ବିଧାୟକ ଓ ବିରୋଧରେ ଅନ୍ୟ ୫ ଜଣ ବିଧାୟକ ଅଛନ୍ତି ।