ନୂଆଦିଲ୍ଲୀ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳୀୟ ନେତାଙ୍କର ଚିନ୍ତା ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଶଶି ଥରୁର ଓ ଅଶୋକ ଗହଲୋତଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏହା ଶେଷ ନିଷ୍ପତ୍ତି ନୁହେଁ । ଅନ୍ୟପଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ କଂଗ୍ରେସ ନେତା ହେବା ପାଇଁ କହୁଛନ୍ତି । ମାତ୍ର ରାହୁଲ ଏହି ପ୍ରଶ୍ନକୁ ସାମାନ୍ୟ ହସିଦେଇ ଟାଳିଦେଉଛନ୍ତି ।
ଏହାରି ମଧ୍ୟରେ ଦିଲ୍ଲୀରେ ଏକାଧିକ ବୈଠକ ହୋଇସାରିଛି । ଏହାର ପ୍ରଭାବ କେରଳର କୋଚି ପର୍ଯ୍ୟନ୍ତ ଦେଖାଯାଉଛି । ବୁଧବାର କଥା ଯଦି କହିବା, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଦିଲ୍ଲୀ ଆସି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଅନ୍ୟପଟରେ କେରଳରୁ ସାଂସଦ ଶଶି ଥରୁର ଦିଲ୍ଲୀରେ ଏଆଇସିସିର ମୁଖ୍ୟାଳୟ ପହଂଚିଥିଲେ । ଏଠାରେ ସେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ସଭାପତି ମଧୁସୂଦନ ମିସ୍ତ୍ରୀଙ୍କୁ ଭେଟଥିଲେ ଏବଂ ନିର୍ବାଚନ ପ୍ରକ୍ରିୟା ସଂପର୍କରେ ଅବଗତ ହୋଇଥିଲେ ।
ଶଶି ଥରୁର ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଭେଟିସାରିଛନ୍ତି । ଏହି ସାକ୍ଷାତକାରରେ ସେ କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନରେ ଛିଡ଼ା ହେବା ପାଇଁ ନିଜର ଆଗ୍ରହ ପ୍ରକାଶ କରିଥିଲେ । ସୋନିଆ ମଧ୍ୟ ଶଶି ଥରୁରଙ୍କ ଏହି ଆଗ୍ରହକୁ ସବୁଜ ସଂକେତ ଦେଇଥିଲେ । ଅନ୍ୟପଟରେ ଗହଲୋତ ଏପର୍ଯ୍ୟନ୍ତ କହୁଛନ୍ତି ଯେ, ତାଙ୍କର ପ୍ରଥମ ଉଦ୍ୟମ ହେବ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ । କିନ୍ତୁ ରାହୁଲ ଗାନ୍ଧି ଏହି ପଦବି ପାଇଁ ସୁନିଶ୍ଚିତ କରୁ ନାହାନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ଗହଲୋତଙ୍କୁ କଂଗ୍ରେସର ଅଧ୍ୟକ୍ଷ ପଦ ମିଳିଯିବ, ରାଜସ୍ଥାନରୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କି?