ଜୟପୁର, ଜାନୁଆରୀ ୦୪ (ଖବର ଓଡ଼ିଶା): ଦୀର୍ଘ ୬ ମାସ ପରେ ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏବଂ ସଚିନ ପାଇଲଟ ଗୋଟିଏ ମଂଚରେ ବସିଥିବାର ଦେଖିବାକୁ ମିଳିଛି । ଚାଷୀଙ୍କ ସମର୍ଥନରେ କଂଗ୍ରେସ ବିଧାୟକ ଦଳ ଦ୍ୱାରା ଦିଆଯାଇଥିବା ଦିନିକିଆ ଧାରଣା ପୟଦର୍ଶନରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏବଂ ସଚିନ ପାଇଲଟ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ ରାଜସ୍ଥାନ ସରକାରଙ୍କ ସମସ୍ତ ମନ୍ତ୍ରୀ, ସମସ୍ତ ବିଧାୟକ ଏବଂ କଂଗ୍ରେସ କର୍ମୀ ଏକତ୍ର ହୋଇଥିଲେ ।
ଧାରଣାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଗହଲୋତ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କୃଷି ଆଇନକୁ ପାରିତ କରିଛନ୍ତି । ତାଙ୍କର ବିରୋଧରେ ଦେଶର ଚାଷୀମାନେ ଏକାଠି ଛିଡ଼ା ହୋଇଛନ୍ତି । ଚାଷୀମାନେ ରବିବାର ୩୯ ଦିନରେ ଆନ୍ଦୋଳନ କରୁଛନ୍ତି । କିନ୍ତୁ ସରକାର ନିଜର ଜିଦରେ ଅଟଳ ରହିଛନ୍ତି । ଏହି ଧାରଣାଚାଷୀଙ୍କ ଲାଗି ଅନୁଷ୍ଠିତ ହୋଇଛି । ଆପଣ ଯେତେବେଳେ ସୀମାକୁ ଡାକିବେ, ଆମେ ଆନ୍ଦୋଳନ ପାଇଁ ସେଠାକୁ ଯିବାକୁ ପ୍ରସ୍ତୁତ ଅଛୁ ବୋଲି ଗହଲୋତ କହିଛନ୍ତି ।
ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୃଷି ଆଇନରେ ଚାଷୀମାନଙ୍କୁ ଲାଭ ପହଂଚାଇବ ନାହିଁ । ଏହାକୁ ସରକାର ବାତିଲ କଲେ ଆମେ ଧନ୍ୟବାଦ ଜଣାଇବୁ ।