ନୂଆଦିଲ୍ଲୀ, ଜୁନ୍ ୧୯ (ଖବର ଓଡ଼ିଶା): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ୫୨ ବର୍ଷ ବୟସରେ ପାଦ ଥାପିଛନ୍ତି । ସେ ନିଜ ଜୀବନର ୫୧ ବର୍ଷ କରିସାରିଛନ୍ତି । ଜନ୍ମଦିନର ପୂର୍ବ ସନ୍ଧ୍ୟା ରାହୁଲ ଗାନ୍ଧୀ କଂଗ୍ରେସ କର୍ମକର୍ତ୍ତା ଓ ନିଜର ଶୁଭ ଚିନ୍ତକଙ୍କୁ କୌଣସି ପ୍ରକାରରେ ଉତ୍ସବ ପାଳନ ନ କରିବାକୁ ଅପିଲ କରିଛନ୍ତି । ରାହୁଲ ଗାନ୍ଧୀ ଶନିବାର ସନ୍ଧ୍ୟାରେ ଏସଂପର୍କରେ ଏକ ବାର୍ତ୍ତା ଜାରି କରିଛନ୍ତି ।
କଂଗ୍ରେସ ନେତା ରାହୁଲ କହିଛନ୍ତି ଯେ, ଦେଶବ୍ୟାପୀ କଂଗ୍ରେସ ନେତାଙ୍କୁ ଅପିଲ କରୁଛି ଯେ, ମୋର ଜନ୍ମଦିନ ଅବସରରେ ରବିବାର କୌଣସି ପ୍ରକାରରେ ଉତ୍ସବ ପାଳନ ନ କରନ୍ତୁ । ସେ କହିଛନ୍ତି ଯେ, ଦେଶରେ ଉପୁଜିଥିବା ପରିସ୍ଥିତି ନେଇ ଆମେ ଚିନ୍ତିତ ଅଛି । କୋଟି କୋଟି ଯୁବାଙ୍କ ମନରେ ଦୁଃଖ ଜାତ ହୋଇଛି । ଆମେ ଏହି ଯୁବାଙ୍କ ସହିତ ଛିଡ଼ା ହେବାର ଆବଶ୍ୟକତା ରହିଛି ।
ସୂଚନାଯୋଗ୍ୟ, ସେନାରେ ଭର୍ତ୍ତିକୁ ନେଇ ନୂଆ ଯୋଜନା ‘ଅଗ୍ନିପଥ ଯୋଜନା’ ବିରୋଧରେ ଦେଶର ଅନେକ ସ୍ଥାନରେ ପ୍ରଦର୍ଶନ ହେଉଛି । ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ସମେତ ଅନ୍ୟ ରାଜ୍ୟରେ ଯୁବଗୋଷ୍ଠୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ଦଳ ମଧ୍ୟ ଯୋଜନା ଫେରାଇ ନେବାକୁ ଅପିଲ କରିଚନ୍ତି ।