ନୂଆଦିଲ୍ଲୀ, ଏପ୍ରିଲ ୨୯ (ଖବର ଓଡ଼ିଶା): ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ପାର୍ଟିରେ ସାମିଲ କରିବାକୁ ଚାହୁଥିଲା, କିନ୍ତୁ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ସାମିଲ ହେବାର ସମ୍ଭାବନାରେ ବିରାମ ଲାଗିସାରିଛି । କଂଗ୍ରେସ ଏକ କମିଟି ଗଠନ କରିଥିଲା । ପାର୍ଟି ପ୍ରଶାନ୍ତ କିଶୋରଙ୍କୁ ଏହାର ସଦସ୍ୟ କରିବାକୁ ଚାହୁଁଥିଲା । କିନ୍ତୁ ସେ ମନା କରିଦେଇଥିଲେ ।
ପ୍ରଶାନ୍ତ କିଶୋର ଚାହୁଁଥିଲେ ଯେ, ତାଙ୍କର ପରାମର୍ଶ ଉପରେ ୧୦ ଦିନ ଭିତରେ କାମ ଆରମ୍ଭ ହୋଇଯାଉ । ଏଥିରେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନିଯୁ୍କ୍ତି, ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ପାର୍ଟିରେ ଭୂମିକା ଓ ସଂସଦୀୟ ବୋର୍ଡର ପୁନଃର୍ଗଠନ ସାମିଲ ଥିଲା । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ପ୍ରଶାନ୍ତ କିଶୋରଙ୍କ ସର୍ତ୍ତ କଂଗ୍ରେସ କମିଟକୁ ମଂଜୁରୀ ନଥିଲା । ଏହାରି ଭିତରେ ପ୍ରଶାନ୍ତ କିଶୋର ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇଛନ୍ତି ।
ପ୍ରଶାନ୍ତ କିଶୋର କହିଛନ୍ତି ଯେ, ୩ଟି ବୈଠକ ହୋଇଛି । ଏଥିରେ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ସେ ଓ ପାର୍ଟିର ଅନ୍ୟ ନେତାମାନେ ତାଙ୍କର ପରାମର୍ଶକୁ ସ୍ୱାଗତ କରିଥିଲେ । ପିକେ କହିଛନ୍ତି ଯେ, ସେ ପାଖାପାଖି ୯ ଘଣ୍ଟାର ପ୍ରେଜେଣ୍ଟଟେଶନ ଦେଇଥିଲେ । କିନ୍ତୁ ସୋନିଆ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟମାନେ କେହି ପୂରା ଦେଖି ନଥିଲେ । ପ୍ରଶାନ୍ତ କିଶୋରଙ୍କ ତରଫରୁ କୁହାଯାଇ ନାହିଁ ଯେ, କଂଗ୍ରେସ ଅଧ୍ୟକ୍ଷଙ୍କ ଦାୟିତ୍ୱ କିଭଳି ହେବା ଦରକାର । ପ୍ରଶାନ୍ତ କିଶୋର କହିଛନ୍ତି ଯେ, କଂଗ୍ରେସକୁ କୌଣସି ‘ପିକେ’ର ଆବଶ୍ୟକତା ନାହିଁ । ସେ କହିଛନ୍ତି ଯେ, ଗଣମାଧ୍ୟମ ମୋତେ ଆବଶ୍ୟକତା ଠାରୁ ଅଧିକ ବଡ଼ ଭାବରେ ଦେଖାଉଛି । ମୋର ଭୂମିକା ସେତେ ବଡ଼ ନୁହେଁ ଯେ, ରାହୁଲ ଗାନ୍ଧୀ ମୋତେ ଗୁରୁତ୍ୱ ଦେବେ ।