କଂଗ୍ରେସରେ ବଡ଼ ପରିବର୍ତ୍ତନ ଆଣିଲେ ସୋନିଆ ଗାନ୍ଧୀ, ମହାସଚିବ ପଦରୁ ହଟିଲେ ଗୁଲାବ ନବୀ ଆଜାଦ
Khabar Odisha:Politics-Big-reshuffling-congress-party-Sonia-Gandhi-constituted-special-committee-for-her-assistance

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨ (ଖବର ଓଡ଼ିଶା): ୨୩ ଜଣ ନେତାଙ୍କ ଦ୍ୱାରା ଲେଖାଯାଇଥିବା ଚିଠି ଆସିବା ପରେ କଂଗ୍ରେସ ପାର୍ଟିରେ ଶୁକ୍ରବାର ବିଳମ୍ବିତ ରାତି ବଡ଼ ପରିବର୍ତ୍ତନ ହୋଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଦଳରେ ଏହି ପରିବର୍ତ୍ତନ ହୋଇଛି । କଂଗ୍ରେସ କାର୍ଯ୍ୟକାରୀ କମିଟି ଠାରୁ ଆରମ୍ଭ କରି ରାଜ୍ୟର ପ୍ରଭାରୀ ମହାସଚିବ ଓ ପ୍ରଭାରୀ ସଚିବ ପର୍ଯ୍ୟନ୍ତ ପରିବର୍ତ୍ତନ କରାଯାଇଛି । ଏଥି ସହିତ କଂଗ୍ରେସ ଭିତରେ ନିର୍ବାଚନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । 

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନୂତନ ସଭାପତି ନିର୍ବାଚନକୁ ଦୃଷ୍ଟିରେ ରଖି ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପାର୍ଟି ଭିତରେ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଚିଠିରେ ସଭାପତିଙ୍କ କାମକାର୍ଯ୍ୟରେ ସାହାଯ୍ୟ କରିବାକୁ ଯେଉଁ ପ୍ରଣାଳୀ ଦାବି କରାଯାଇଥିଲା, ସେହି ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ କରାଯାଇଛି । ଏହି କମିଟିରେ ଅହମଦ ପଟେଲ, ଏକେ ଆଣ୍ଟୋନି, ଅମ୍ବିକା ସୋନୀ, ମୁକୁଲ ୱାସନିକ, କେସି ବେଣୁଗୋପାଳ, ରଣଦୀପ ସୁରଜେୱାଲାଙ୍କୁ ରଖାଯାଇଛି । କୁହାଯାଉଛି ଯେ ଏହି ପରିବର୍ତ୍ତନ ରାହୁଲ ଗାନ୍ଧୀଙ୍କ ଦୃଷ୍ଟିରେ ହିଁ ରଖାଯାଇଛି । ସୋନିଆ ଗାନ୍ଧୀ ନିଜର ଆମେରିକା ଗସ୍ତ ପୂର୍ବରୁ ସଂଗଠନରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ଆଗାମୀ ଦିନରେ ନିଜର ନିୟମିତ ସ୍ୱାସ୍ଥ୍ୟ ଯାଂଚ ଲାଗି ସେ ଆମେରିକା ଯିବେ ।

ଶୁକ୍ରବାର ପରିବର୍ତ୍ତନ ହୋଇଥିବା ତାଲିକାରେ ଗୁଲାମନବୀ ଆଜଦା, ମଲ୍ଲିକାର୍ଜୁନ ଖଡଗେ, ଅମ୍ବିକା ସୋନୀ, ମୋତିଲାଲ ଭୋରା, ଲୁଜିହ୍ନୋ ଫଲେରୋଙ୍କ ଠାରୁ ସଂଗଠନ ମହାସଚିବ ଦାୟିତ୍ୱ କାଢ଼ି ନିଆଯାଇଛି । ସେହିପରି ଆଶା କୁମାରୀ, ଅନୁଗ୍ରହ ନାରାୟଣ ସିଂହ, ଆଶା କମାରୀ, ଗୌରବ ଗୋଗୋଇ ଏବଂ ରାମଚନ୍ଦ୍ର ଖୁଣ୍ଟିଆଙ୍କ ଠାରୁ ରାଜ୍ୟ ପ୍ରଭାରୀ ପଦ ଫେରାଇ ନିଆଯାଇଛି । ଏହି ପରିବର୍ତ୍ତନରେ ଯେଉଁମାନେ ଦୀର୍ଘ ଦିନରୁ ସଂଗଠନ ଏବଂ ପାର୍ଟି ଭିତରେ ନିରବ ଥିଲେ, ସୋମାନଙ୍କଠାରୁ ମଧ୍ୟ କାଢ଼ି ନିଆଯାଇଛି । ଭୋରା ଭଳି ବରିଷ୍ଠ ଓ ପରିବାରର ଭରସାଯୋଗ୍ୟ ବ୍ୟକ୍ତିଙ୍କ ଠାରୁ ପଦ ଛଡ଼ାଇ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପବନ କୁମାର ବଂସଲକୁ ଦାୟିତ୍ୱ ଦିଆଯାଇଛି । ମୋତିଲାଲ ଭୋରାଙ୍କ ଠାରୁ କ୍ଷମତା ଫେରାଇ ନେବାର ମୂଳ କାରଣ ହେଉଛି, ତାଙ୍କର ବୟସ ବୃଦ୍ଧି ଓ ସ୍ୱାସ୍ଥ୍ୟ ସମସ୍ୟା ।  

କଂଗ୍ରେସ ଏହି ପରିବର୍ତ୍ତନ ଆଣିବା ପରେ ୯ ଜଣ ମହାସଚିବ ଓ ୧୭ ଜଣ ପ୍ରଭାରୀ ରଖିଛି । ମହାସଚିବରେ ମୁକୁଲ ୱାସନିକ, ହରିଶ ରାୱତ, ଓମ୍ୟାନ ଚଣ୍‌ଡି, ପ୍ରିୟଙ୍କା ଗାନ୍ଧୀ, ତାରିଖ ଅନୱାର, ରଣଦୀପ ସୁରଜେୱାଲା, ଜିତେନ୍ଦ୍ର ସିଂହ, ଅଜୟ ମାକନ ଓ କେସି ବେଣୁଗୋପାଳ । ସେହିପରି ରଜନୀ ପାଟିଲ, ପିଏମ ପୁନିଆ, ଆରପିଏମ ସିଂହ, ଶକ୍ତି ସିଂହ ଗୋହିଲ, ରାଜୀବ ସାତୱ, ରାଜୀବ ଶୁକ୍ଲା, ଜିତିନ ପ୍ରସାଦ, ଦିନେଶ ଗୁଣ୍ଡୁରାଓ, ମାଣିକମ ଟେଗୋର, ଚେଲ୍ଲା କୁମାର, ଏଚ କେ ପାଟିଲ, ଦେବେନ୍ଦ୍ର ଯାଦବ, ବିବେକ ବଂସଲ, ମନୀଷ ଚତରଥ, ଭକ୍ତଚରଣ ଦାସ ଓ କୁଲଜିତ ନାଗରାଙ୍କୁ ରାଜ୍ୟ ପ୍ରଭାରୀ ଦାୟିତ୍ୱ ମିଳିଛି । 

 

  • Tags:

Subscribe

National International State Sports Entertainment