ନୂଆଦିଲ୍ଲୀ/ପାଟଣା, ଜୁଲାଇ ୩୦ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟିର ସମସ୍ତ ୭ଟି ମୋର୍ଚ୍ଚାର ସଂଯୁକ୍ତ ରାଷ୍ଟ୍ରୀୟ କାର୍ଯ୍ୟସମିତିର ୨ ଦିନିଆ ବୈଠକ ଆଜିଠାରୁ ପାଟଣାରେ ଆରମ୍ଭ ହେବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଉଦ୍ଘାଟନ କରିବେ । ବିହାରରେ ପ୍ରଥମ ଥର ପାଇଁ ବିଜେପିର ଏହି ବୈଠକର ଆୟୋଜନ କରାଯାଇଛି । ଏଥିରେ ଦେଶବ୍ୟାପୀ ୭୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ । ଏହି ବୈଠକରେ ସାମିଲ ହେବା ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ପାଟଣା ଗସ୍ତ କରୁଛନ୍ତି । ପାଟଣାର ଜ୍ଞାନ ଭବନରେ ଏହି ବୈଠକ ହେବ । ଏଥି ପାଇଁ ଦଳୀୟ ନେତାମାନେ ପାଟଣା ପହଞ୍ଚି ସାରିଛନ୍ତି ।
ପାଟଣା ପହଞ୍ଚିବା ପରେ ଜେପି ନଡ୍ଡା ଏକ ରୋଡ ଶୋ’ କରିବେ । ବିଜେପିର ଉପସଭାପତି ଓ ରାଜ୍ୟ ମିଡିଆ ପ୍ରମୁଖ ରାଜୀବ ରଂଜନ କହିଛନ୍ତି ଯେ, ପାଟଣାରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହାଇକୋର୍ଟ ନିକଟରେ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହା ପରେ ସେ ଜେପି ଗୋଲମ୍ବର ଅଭିମୁଖେ ବାହାରିବେ ।
ଜେପି ନଡ୍ଡା ଗ୍ରାମ ସଂସଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହା ପରେ ସାଢ଼େ ୪ଟାରେ ସେ ଜ୍ଞାନ ଭବନରେ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ । ସେ ବିଜେପି ରାଜ୍ୟ କାର୍ଯ୍ୟଳୟରୁ ବିଜେପିର ୧୬ଟି ଜିଲ୍ଲା କାର୍ଯ୍ୟାଳୟର ଉଦଘାଟନ କରିବେ । ସେହିପରି ୩ଟି ଜିଲ୍ଲା ପାଇଁ ଶିଳାନ୍ୟାସ କରିବେ । ସେ ପାଟଣା ସାହିବ ଗୁରୁତ୍ୱାର ମଧ୍ୟ ପହଞ୍ଚିବେ । ଶିଖ ସଂପ୍ରଦାୟର ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ମନ୍ କି ବାତ୍ ଶୁଣିବେ ।