ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ଇଣ୍ଡି ମେଣ୍ଟରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ରାଜ୍ୟସଭାର ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଦଳ ଧନଖଡଙ୍କ ବିରୋଧରେ ଅନୁଚ୍ଛେଦ ୬୭(ବି) ଆଧାରରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କ ଆଚରଣ ସେମାନଙ୍କୁ ଅନାସ୍ଥା ଆଣିବାକୁ ପ୍ରେରିତ କରିଥିବା ବିରୋଧୀ କହିଛନ୍ତି ।
ଏହି ପ୍ରସ୍ତାବରେ ପାଖାପାଖି ୭୦ ସାଂସଦ ଦସ୍ତଖତ କରିଛନ୍ତି । କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଓ ଅନ୍ୟ ଛୋଟ ଛୋଟ ଦଳ ଏହି ପ୍ରସ୍ତାବକୁ ନେଇ ଏକଜୁଟ ହୋଇଛନ୍ତି । ଅଗଷ୍ଟ ମାସରେ ସଂସଦର ମୌସୁମୀ ଅଧିବେଶନ ସମୟରେ ହିଁ ବିରୋଧୀ ଦଳଗୁଡିକ ଜଗଦୀପ ଧନଖଡଙ୍କ ବିରୋଧରେ ଦସ୍ତଖତ ଅଭିଯାନ ଚଳାଇଥିଲେ । କିନ୍ତୁ ଧନଖଡଙ୍କୁ ଆଉ ଏକ ସୁଯୋଗ ଦେବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସୋମବାର ଖନଖଡଙ୍କ ଆଚରଣ ସେମାନଙ୍କୁ ଏହି ପ୍ରସ୍ତାବ ଆଣିବାକୁ ପ୍ରେରିତ କରିଛି । ଅନ୍ୟପଟେ ରାଜ୍ୟସଭାର ଗୃହକାର୍ଯ୍ୟ ଡିସେମ୍ବର ୧୧ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।
ଏହି ପ୍ରସଙ୍ଗରେ କଂଗ୍ରେସ ନେତୃତ୍ୱ ନେଉଥିବା ବେଳେ ଟିଏମସି ଓ ସପା ସମେତ ଇଣ୍ଡି ମେଣ୍ଟର ଅନ୍ୟ ଦଳ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ସବୁଠୁ ବଡ କଥା କଂଗ୍ରେସକୁ ସେହି ସମୟରେ ଟିଏମସି ଓ ସପାର ସମର୍ଥନ ମିଳିଛି, ଯେଉଁ ସମୟରେ ଏହି ଦଳଗୁଡିକ ମଧ୍ୟରେ ମତଭେଦ ଲାଗି ରହିଛି । ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ ଇଣ୍ଡି ମେଣ୍ଟକୁ ଏକଜୁଟ୍ କରିଛି ।