ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ଭାଗ୍ୟ ବଦଳିବ। ଏଠାରେ ସରକାର ପରିବର୍ତ୍ତନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷତାକାରରେ କହିଛନ୍ତି। ଆସନ୍ତା ଜୁନ୍ ୪ ତାରିଖ ବର୍ତ୍ତମାନ ସରକାରର ପାଳି ସରିବ। ଏହା ପରେ ରାଜ୍ୟରେ ବିଜେପି ସରକାର ଆସିବ। ବିଜେପିର ମୁଖ୍ୟମନ୍ତ୍ରୀ ଆସନ୍ତା ୧୦ ତାରିଖରେ ଶପଥ ଗ୍ରହଣ କରିବେ। ୨୫ ବର୍ଷରେ ଓଡ଼ିଶାର ବିକାଶ ହୋଇପାରିଲା ନାହିଁ। ଓଡ଼ିଶାରେ ପ୍ରାକୃତିକ ସମ୍ବଳର ଅଭାବ ନାହିଁ। ସବୁ ଥାଇ ମଧ୍ୟ ଓଡ଼ିଶା ଗରିବ। ଓଡ଼ିଶାର ଲୋକଙ୍କୁ ଅସ୍ମିତା ଦରକାର ଓ ସ୍ୱାଭିମାନର ଆବଶ୍ୟକତା ରହିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ବିକାଶରେ ବାଧକ ସାଜିଛନ୍ତି ବିରୋଧୀ। ସଂରକ୍ଷଣ ନାମରେ ଦଳିତ, ଆଦିବାସୀ ଓ ଓବିସିଙ୍କୁ ଶୋଷଣ କରାଯାଉଛି । ବିଜେପି ସରକାର ଗରିବ, ଆଦିବାସୀ, ଓବିସି ଭାଇଭଉଣୀଙ୍କ ଅଧିକାର ପାଇଁ ଲଢ଼ାଇ ଜାରି ରଖିଛି।
ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ପରିବର୍ତ୍ତନର ମାହୋଲ ଦେଖାଯାଉଛି । ରାଜନୈତିକ ଦଳ ଜନତାଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ପ୍ରଚାର ଜାରି ରଖିଛନ୍ତି। ମତଦାତା ଓ ସାମାଜିକ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ପରିବର୍ତ୍ତନ ଆଭାସ ଦେଉଛି । ୨୫ ବର୍ଷର ବିଜେଡି ସରକାରରେ ରାଜ୍ୟର ଜନତା ଆଉ ଖୁସି ନାହାନ୍ତି। ରାଜ୍ୟରେ ବିପର୍ଯ୍ୟସ୍ଥ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ମହିଳା ନିର୍ଯାତନା, ଦୁର୍ନୀତି ଆଦି ହେଉଛି ଏହାର କାରଣ।
ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ଉପରେ ନଜର ରଖିଛି। ଏଥି ପାଇଁ କେନ୍ଦ୍ରୀୟ ବିଜେପି ନେତାମାନେ ବାରମ୍ବାର ଓଡ଼ିଶା ଗସ୍ତ କରୁଛନ୍ତି। ଏକ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ତିନି ଥର ଗସ୍ତ କରିସାରିଛନ୍ତି। ଏହି ଗସ୍ତକାଳ ମଧ୍ୟରେ ମୋଦୀ ଭୁବନେଶ୍ୱର, ବ୍ରହ୍ମପୁର, ନବରଗଂଗପୁର, ଫୁଲବାଣୀ, ବଲାଙ୍ଗୀର, ବରଗଡ଼, ପୁରୀ, କଟକ ଓ ଅନୁଗୁଳରେ ପ୍ରଚାର କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମେ’ ୨୯ ତାରିଖରେ ପୁଣି ଓଡ଼ିଶା ଗସ୍ତ କରୁଛନ୍ତି । ଏହି ଗସ୍ତ କାଳରେ ସେ ବାରିପଦା, କେନ୍ଦ୍ରାପଡ଼ାରେ ପ୍ରଚାର କରିବେ। ସେହିପରି ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ହିମନ୍ତ ବିଶ୍ୱଶର୍ମା ମଧ୍ୟ ଏକାଧିକ ଥର ଓଡ଼ିଶା ଗସ୍ତ କରିସାରିଛନ୍ତି।