ମୁମ୍ବାଇ: ମହାବିଜୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କୁ ଭେଟି ଏକନାଥ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏବଂ ଅଜିତ ପାୱାର ଉପସ୍ଥିତ ଥିଲେ । ୧୪ତମ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୬ ଅର୍ଥାତ ଆଜି ଶେଷ ହେଉଛି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ମେଣ୍ଟ ମହାୟୁତି ୨୩୬ ଆସନରେ ବିଜୟ ହାସଲ କରିଛି । ଏକାକୀ ବିଜେପି ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ୧୩୨ଟି ଆସନ ଜିତିଛି । ତେବେ ଏହି ବିଜୟ ପରେ ମହାରାଷ୍ଟ୍ରରେ କିଏ ମୁଖ୍ୟମନ୍ତ୍ରୀ ସେ ନେଇ ଦ୍ୱନ୍ଦ ଲାଗି ରହିଛି । ମହାୟୁତି-ଏନଡିଏ ବିଜୟର ମୁଖ୍ୟ ସ୍ଥାପକ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ଅଧିକ ସମ୍ଭାବନା ରହିଛି । କାରଣ ତାଙ୍କ ନେତୃତ୍ୱ ବିଜେପି ତୃତୀୟ ଥର ପାଇଁ ୧୦୦ରୁ ଅଧିକ ଆସନ ଜିତିବାରେ ସଫଳ ହୋଇଛି । ଅନ୍ୟପକ୍ଷରେ ଶିବସେନା ସଭାପତି ଏକନାଥ ସିନ୍ଦେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି । ତେବେ ଏଥର ମଧ୍ୟ ଉପମୁଖ୍ୟମନ୍ତ୍ରୀ ରହିବା ସମ୍ଭାବନା ଅଛି ।
ଚଳିତ ନିର୍ବାଚନରେ ମହାୟୁତି ମେଣ୍ଟ ମ୍ୟାଜିକ ନମ୍ବର ପାର କରି ୨୩୫ଟି ଆସନ ଜିତିଛି । ବିଜେପି ୧୩୨ଟି, ଶିବସେନା ୫୭, ଏନସିପି ୪୧, ଜେଏସଏସ ୨ ଏବଂ ଆରଏସପିଏସ୍ , ଆର୍ ଏସଭିଏ ଓ ଆରୱାଇଏସପି ଗୋଟାଅ ଲେଖାଏଁ ଆସନ ଜିତିଛନ୍ତି । ସେପଟେ ଇଣ୍ଡି ମେଣ୍ଟ ୪୮ଟି ଆସନ ହାତେଇବାରେ ସଫଳ ହୋଇଛି । ତେବେ ମୋଟ ଆସନ ୨୮୮ରୁ ୧୪୫ ମ୍ୟାଜିକ ନମ୍ବର ।