ଚଣ୍ଡିଗଡ: ହରିୟାଣା ବିଧାନସଭା ନିର୍ବାଚନରେ ଗୋଟିଏ ପର୍ଯ୍ୟାୟରେ ଆଜି ମତଦାନ ହେଉଛି । ଗୁରୁଗ୍ରାମଠୁ ନେଇ ଯମୁନାନଗର ପର୍ଯ୍ୟନ୍ତ ସମସ୍ତ ଭାଗରେ ଭୋଟିଂ ପାଇଁ ମତଦାତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହିକ୍ରମରେ ଅପରାହ୍ଣ ୧ଟା ସୁଦ୍ଧା ୩୬ ପ୍ରତିଶତରୁ ଅଧିକ ମତଦାନ ହୋଇ ସାରିଛି । ଏହା ମଧ୍ୟରେ ଭୋଟିଂ ଦିନ କଂଗ୍ରେସ ନେତାଙ୍କୁ ଏକଜୁଟ ଦେଖିବାକୁ ମିଳିଛି ।
୯୦ ସଦସ୍ୟ ବିଶିଷ୍ଟ ଏହି ରାଜ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୨୦୨୪ ଅକ୍ଟୋବର ୮ତାରିଖରେ ଫଳାଫଳ ପ୍ରକାଶ ପାଇବ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରଓ୍ଵାଲ ଶୁକ୍ରବାର ଗଣମାଧ୍ୟମକୁ କହିଛନ୍ତି, ୨,୦୩,୫୪,୩୫୦ ଭୋଟର ସେମାନଙ୍କ ମତାଧିକାର ବ୍ୟବହାର କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮,୮୨୧ ଜଣ ମତଦାତା ୧୦୦ ବର୍ଷରୁ ଅଧିକ ବୟସ୍କ। ୯୦ଟି ଆସନରେ ୧୦୧ ଜଣ ମହିଳାଙ୍କୁ ମିଶାଇ ମୋଟ ୧୦୩୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୪୬୪ ଜଣ ସ୍ୱାଧୀନ ପ୍ରାର୍ଥୀ ଥିବା ବେଳେ ମୋଟ ୨୦,୬୩୨ଟି ମତଦାନ କେନ୍ଦ୍ର ରଖାଯାଇଛି।
ରାଜ୍ୟରେ ଏବେ ନୟାବ ସିଂହ ସାଇନିଙ୍କ ନେତୃତ୍ବାଧୀନ ବିଜେପି ଶାସନ କରୁଛି। ତାଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା, କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗାଟ, ଜେଜେପିର ଦୁଷ୍ୟନ୍ତ ଚୌଟାଲା ଏବଂ ଅନ୍ୟ ୧୦୨୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ବାଚନ ମାଧ୍ୟମରେ ନିର୍ଦ୍ଧାରଣ କରାଯିବ।
ରାଜ୍ୟରେ ଶାସକ ବିଜେପି ଲଗାତାର ତୃତୀୟ ଥର କ୍ଷମତାକୁ ଆସିବାକୁ ଚାହୁଁଥିବା ବେଳେ କଂଗ୍ରେସ ଏକ ଦଶନ୍ଧି ପରେ ସରକାରକୁ ଫେରିବାକୁ ଆଶା ରଖିଛି। ରାଜନୈତିକ ବିଶେଷଜ୍ଞଙ୍କ ମତରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି, କିନ୍ତୁ ଅନ୍ୟ ପ୍ରମୁଖ ଦଳମାନେ ହେଲେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍), ଇଣ୍ଡିଆନ୍ ନ୍ୟାସନାଲ୍ ଲୋକଦଳ (ଆଇଏନ୍ଏଲ୍ଡି)-ବହୁଜନ ସମାଜ ପାର୍ଟି (ବିଏସ୍ ପି) ମେଣ୍ଟ ଏବଂ ଜନନାୟକ ଜନତା ପାର୍ଟି (ଜେଜେପି)-ଆଜାଦ ସମାଜ ପାର୍ଟି (ଏଏସ୍ପି) ମେଣ୍ଟ।