ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ସରଗରମ ବଢିବାରେ ଲାଗିଛି । କିଏ କେଉଁ ଆସନରୁ ଲଢିବ ତାକୁ ନେଇ ଦଳଗୁଡିକ ମଧ୍ୟରେ ରଣନୀତି ଏବଂ ଅଙ୍କକଷା ଚାଲିଛି । ତେବେ ଏହା ମଧ୍ୟରେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କୁ ନେଇ ଆସିଛି ବଡ ଖବର । ଦୁଇ ରେସଲର ପ୍ରାର୍ଥୀ ଘୋଷଣା ପୂର୍ବରୁ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିଛନ୍ତି । ଏଥିରୁ ସଙ୍କେତ ମିଳିଛି ଯେ, ଏହି ଦୁଇ ରେସଲର କଂଗ୍ରେସ ଟିକେଟରୁ ରାଜନୈତିକ ମଇଦାନକୁ ଓହ୍ଲାଇ ପାରନ୍ତି ।
ଏହା ପୂର୍ବରୁ ଭିନେଶ ଫୋଗାଟ୍ ଓ ବଜରଙ୍ଗ ପୁନିଆଙ୍କ କଂଗ୍ରେସର ବନ୍ଧୁତାର ଅନେକ ଦୃଶ୍ୟ ଦେଖିବାକୁ ମିଳି ସାରିଛି । ଏଥିରୁ ଏହା ସଙ୍କେତ ମିଳୁଛି ଯେ, ଉଭୟ କଂଗ୍ରେସରେ ସାମିଲ ହୋଇ ଆଗାମୀ ବିଧାନସଭା ନିର୍ବାଚନ ଲଢି ପାରନ୍ତି ।
୨୦୨୩ ରେ ରେସଲରଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଯୌନ ନିର୍ଯାତନା ଅଭିଯୋଗରେ ରେସଲରମାନେ ଭାରତୀୟ କୁସ୍ତି ମହାସଂଘର ତତ୍କାଳୀନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବୃଜଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିଲେ । ଏହି ସମୟରେ ପହିଲମାନଙ୍କ ବିଜେପି ପ୍ରତି ଅସନ୍ତୋଷ ଚରମରେ ପହଞ୍ଚିଥିଲା ।
ଏହା ପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସରେ ବଡ ନିରାଶ ମିଳିବା ପରେ ଯେବେ ଭିନେଶ ଫୋଗାଟ ସ୍ୱଦେଶ ଫେରିଲେ ସେହି ସମୟରେ ହରିୟାଣା କଂଗ୍ରେସର ନେତା ଦୀପେନ୍ଦ୍ର ସିଂହ ହୁଡ୍ଡା ତାଙ୍କୁ ଆଣିବା ପାଇଁ ଦିଲ୍ଲୀ ବିମାନ ବନ୍ଦର ଯାଇତିଲେ । ଏହା ପରେ ସେ ଗାଁ ପର୍ଯ୍ୟନ୍ତ ରୋଡ୍ ଶୋ କରିଥିଲେ । ଦିଲ୍ଲୀ ବିମାନ ବନ୍ଦରଠୁ ନେଇ ବଲାଲି ପର୍ଯ୍ୟନ୍ତ ଭିନେଶ ଫୋଗାଟ୍ ଓ ବଜରଙ୍ଗ ପୁନିଆଙ୍କ ସହିତ ଦୀପେନ୍ଦ୍ର ସିଂ ହୁଡ୍ଡା ସମେତ ଅନେକ କଂଗ୍ରେସ ନେତା ସାମିଲ ଥିଲେ ।