ଭୁୁବନେଶ୍ୱର: ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କୁ ବିଜେଡିର ସମାଲୋଚନା ନେଇ ସରଗରମ ରାଜ୍ୟ ରାଜନୀତି । ଶନିବାର ବିଜେଡିର ଏହି ଟାର୍ଗେଟକୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଉଚିତ୍ ଜବାବ ଦେଇଛନ୍ତି । ବିରୋଧୀ ଦଳ ନିଜର ଦାୟିତ୍ୱ ତୁଲାନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସଂପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍କ ମନରେ ହତାଶାଭାବ ଆସେ ସେମାନେ ଏମିତି କୁହନ୍ତି । ଯେଉଁମାନେ ନିଜର ପରାଜୟକୁ ସ୍ୱୀକାର କରି ପାରନ୍ତି ନାହିଁ ସେମାନେ ଏମିତି କୁହନ୍ତି । ଓଡିଶା ଲୋକ ତ ନିଷ୍ପତ୍ତି ନେଲେ, ତାକୁ ମୁଣ୍ଡପାତି ସ୍ୱୀକାର କରନ୍ତୁ । ସରକାରଙ୍କ ଦୋଷ ତ୍ରୁଟିକୁ ଲୋକଙ୍କ ସାମ୍ନାକୁ ଆଣିବା ତାଙ୍କ ଦାୟିତ୍ୱ । କିନ୍ତୁ ତାଙ୍କ ହତାଶାଭାବକୁ ରାଜଭବନ ଆଡକୁ ନ ମୁହାଁଇଲେ ଭଲ ହେବ ।
ଏଥିସହ ନବୀନଙ୍କ ମନ୍ତବ୍ୟର କଡା ଜବାବ ଦେଇଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ରାଜନୀତିରେ ଜୟ ପରାଜୟ ଲାଗି ରହିଥାଏ । ବିଜୟରେ ଉନ୍ମାଦିତ ଏବଂ ପରାଜୟରେ ହତୋତ୍ସାହିତ ହେବା ଉଚିତ୍ ନୁହେଁ । ଓଡିଶାରେ କିଛି ଲୋକ ବିଜେପିକୁ ସାଇନ ବୋର୍ଡ ପାର୍ଟି କହୁଥିଲେ । ଏବେ ଓଡିଶା ଲୋକଙ୍କ ଆଶୀର୍ବାଦରେ ସେବା କରିବାର ସୁଯୋଗ ମିଳିଛି । ଲୋକେ ଯାହାକୁ ଯେଉଁ ଦାୟିତ୍ୱ ଦେଇଛନ୍ତି, ସେ ସେହି ଦାୟିତ୍ୱ କରୁ । ଯାହାକୁ ସେବା ଦାୟିତ୍ୱ ମିଳିଛି ସେ ସେବା କରୁ । ଆଉ ବିରୋଧୀ ଦଳ ତାଙ୍କ ଦାୟିତ୍ୱ ତୁଲାନ୍ତୁ । ବାକି ଯାହା ରହିଲା ଲୋକେ ତାହା ବିଚାର କରିବେ ।
ସୂଚନାଯୋଗ୍ୟ, ବିଜେପି ମିଛ କହୁଥିବା ନେଇ ନବୀନ ପଟ୍ଟନାୟକ ମନ୍ତବ୍ୟ ଦେଇଥିଲେ । ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଥିବା ସେ କହିଥିଲେ । ବିଜେଡିର ମଧ୍ୟ ଅନେକ ନେତା ସମାନ ମନ୍ତବ୍ୟ ଦେଇ ବିଜେପିକୁ ଟାର୍ଗେଟ୍ କରିଥିଲେ ।