ନିମାପଡା : ବିଜେପି ନେତା ସମୀର ଦାଶଙ୍କ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ। ନିମାପଡା ଉନ୍ନତି ପାଇଁ ବିଜେପି କରିଥିବା ବର୍ଷକର କାର୍ଯ୍ୟର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଅନୁଷ୍ଠିତ 'ଉତ୍କର୍ଷ ନିମାପଡ଼ା ସମ୍ମିଳନୀ'ରେ ବର୍ଷକର ରିପୋର୍ଟ କାର୍ଡ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ନିର୍ବାଚନ ବେଳେ ଲୋକଙ୍କୁ କଥା ଦେଇଥିଲି, ଅଫିସର୍ ଆପଣଙ୍କ ଦାଣ୍ଡକୁ ଯିବେ । ୧୧ଟି ବିଭାଗର ୩୩ ଜଣ ଅଫିସର୍ଙ୍କୁ ସାମ୍ନାରେ ଆଣିଛି । ଜଳ ନିଷ୍କାସନ, ରାସ୍ତା ନିର୍ମାଣ ଓ ପାନୀୟ ଜଳ ପ୍ରକଳ୍ପ ହେଉଛି ଏହାର ଉଦାହରଣ । ପାନୀୟ ଜଳ କ୍ଷେତ୍ରରେ ୨୧୩ କୋଟି ବ୍ୟୟ କରାଯାଇଛି । ୧୭ ଲକ୍ଷ ଟଙ୍କା ବ୍ୟୟରେ ସ୍ୱର୍ଗ ରଥ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ନିମାପଡ଼ାର ପୂର୍ବତନ ବିଧାୟକ ତଥା ବିଜେପି ମୁଖପାତ୍ର ସମୀର ଦାସ ଶତାଧିକ କର୍ମୀଙ୍କୁ ନେଇ ନିମାପଡାର ଏକ ରାସ୍ତା ଉଦଘାଟନ କରି ପରୋକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା । ବର୍ଷେ ଧରି ଉପମୁଖ୍ୟମନ୍ତ୍ରୀ ଯେଉଁ ପ୍ରକଳ୍ପ ଉଦଘାଟନ କରୁଛନ୍ତି ସବୁ ଗତ ୨୦୨୨-୨୩ ମସିହା ସମୟର ବୋଲି ସମୀର କହିଥିଲେ। ସମୀର ଏକଥା ମଧ୍ଯ କହିଥିଲେ ଯେ ଏବେ ସେ ନିମାପଡାର ବିଧାୟିକା, ପୁଣି ସରକାରର ଗୁରୁତ୍ବପୂର୍ଣ୍ଣ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଛନ୍ତି ତେଣୁ ସେ ନିମାପଡାର ବିକାଶ ୪ ବର୍ଷ ଭିତରେ କ‘ଣ କରୁଛନ୍ତି ଓ କିଭଳି କରୁଛନ୍ତି ଆମେ ସବୁ ଅପେକ୍ଷା କରିଛୁ ବୋଲି ପ୍ରଭାତୀ ପରିଡାଙ୍କୁ ଖୋଲା ଆହ୍ବାନ ଦେଇଥିଲେ । ଅନ୍ୟପଟେ ସମୀରଙ୍କ ଆହ୍ୱାନ ପରେ ଜବାବ ରଖି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ କ'ଣ କରିଛି ନକରିଛି ତାହା ଲୋକେ ଜାଣିଛନ୍ତି । ତେଣୁ ସମୀରଙ୍କ ପ୍ରଶ୍ନର ଉତ୍ତର ରଖି ନିଜ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।