ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନା ଉପରେ ମଙ୍ଗଳବାର ପୂର୍ଣ୍ଣଛେଦ ପଡିପାରେି । ରାଷ୍ଟ୍ରୀୟ ରାଜଧାନୀରେ ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ତା ଉପରୁ ପରଦା ହଟି ନ ଥିଲେ ହେଁ ଶପଥ ସମାରୋହର ତାରିଖ ସାମ୍ନାକୁ ଆସିଛି । ସଦ୍ୟତମ ଖବର ଅନୁଯାୟୀ, ଶପଥ ଗ୍ରହଣ ସମାରୋହ ଫେବୃଆରୀ ୨୦ ତାରିଖ ସନ୍ଧ୍ୟା ୪ଟା ୩୦ରେ ଆୟୋଜିତ ହେବ । ଶପଥ ଗ୍ରହଣ ଓ ସରକାର ଗଠନକୁ ନେଇ ଆଜି ସନ୍ଧ୍ୟାରେ ବିଜେପିର ବିଧାୟକ ଦଳ ବୈଠକ ବସୁଛି । ବୈଠକରେ ବିଧାୟକ ଦଳ ନେତାଠ ଉପରେ ବିସ୍ତୃତ ଆଲୋଚନା ହେବ ।
ବୈଠକରେ ଶପଥ ଗ୍ରହଣ ସମାରୋହର ଇନଚାର୍ଜ ବିନୋଦ ତାୱଡେ ଓ ତରୁଣ ଚୁଗ ଉପସ୍ଥିତ ରହିବେ । ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଓ ଦିଲ୍ଲୀ ବିଜେପି ସଂଗଠନର ପଦାଧିକାରୀ ଉପସ୍ଥିତ ରହିବେ । ଏଥିରେ ଶପଥ ସମାରୋହର ପ୍ରସ୍ତୁତି, ସିଟିଂ ବ୍ୟବସ୍ଥା ଓ ଅତିଥି ତାଲିକା ଚୂଡାନ୍ତ କରାଯିବ ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବ ସେଥିପାଇଁ ଏକାଧିକ ଦାବିଦାର ଅଛନ୍ତି । ମୁଖ୍ୟମନ୍ତ୍ରୀ ପଦ ଦୌଡରେ ପ୍ରବେଶ ବର୍ମା, ଦିଲ୍ଲୀ ବିଜେପିର ପୂର୍ବତନ ସଭାପତି ବିଜେନ୍ଦ୍ର ଗୁପ୍ତା ଓ ସତୀଶ ଉପାଧ୍ୟାୟ ଅଛନ୍ତି । ସେମାନଙ୍କ ବ୍ୟତୀତ ପବନ ଶର୍ମା, ଆଶିଷ ସୁଦ, ରେଖା ଗୁପ୍ତା ଓ ଶିଖା ରାୟ ସହିତ ଅନ୍ୟ ନେତା ବି ଦୌଡରେ ରହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ପଦରେ ସବୁଠୁ ଆଗରେ ଅଛନ୍ତି ପ୍ରବେଶ ବର୍ମା । ସେ ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ଆସନରୁ ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ହରାଇଛନ୍ତି । ପ୍ରବେଶ ବର୍ମା ଜାଟ୍ ସମୁଦାୟର ଅଟନ୍ତି ।
ବିଜେପି ଦିଲ୍ଲୀ ନିର୍ବାଚନରେ ବଡ ବିଜୟ ହାସଲ କରି ଦୀର୍ଘ ୨୭ ବର୍ଷ ପରେ କ୍ଷମତାସୀନ ହେବାକୁ ଯାଉଛି । ବିଜେପି ୭୦ ଆସନରୁ ୪୮ଟି ଜିତିଥିବା ବେଳେ ଆପକୁ ୨୨ ସିଟରେ ସନ୍ତୁଷ୍ଟ ହେବାକୁ ପଡିଛି । କଂଗ୍ରେସ ଖାତା ବି ଖୋଲି ପାରିନି । ଏବେ ବିରୋଧୀ ମୁଖ୍ୟମନ୍ତ୍ରୀ ଶପଥ ନେଇ ହେଉଥିବା ବିଳମ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି ।