ନୂଆଦିଲ୍ଲୀ : ହରିୟାଣାରେ ବିଧାନସଭା ନିର୍ବାଚନ ଜିତି ରେକର୍ଡ ତୃତୀୟ ଥର ସରକାର ଗଢିବାକୁ ଯାଉଛି ବିଜେପି । ଦଳ ସମସ୍ତ ପ୍ରକାରର ଏକଜିଟ୍ ପୋଲର ପୂର୍ବାନୁମାନ ଓ ଆକଳନକୁ ଭୁଲ୍ ପ୍ରମାଣିତ କରି ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରୁଛି । ରାଜ୍ୟରେ ବିଜେପି ପାଇଁ ବିଜୟ ସେତେ ସହଜ ନ ଥିଲା । କାରଣ ତୃଣମୂଳସ୍ତରରେ ବିଜେପି ବିରୋଧରେ ସରକାର ବିରୋୀ ହାୱା ବହୁଥିଲା । ତଥାପି ଏସବୁକୁ ପ୍ରତିହତ କରି ପାରି କଂଗ୍ରେସକୁ ମାତ୍ ଦେବାରେ ସଫଳ ହୋଇଛି ବିଶ୍ୱର ସର୍ବବୃହତ ଦଳ ଭାରତୀୟ ଜନତା ପାର୍ଟି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବିଜୟ ପଛରେ ରହିଛି କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଯିଏ ନିରବତାର ସହ ଠିକ୍ ଗୋଟିଚାଳନା କରି ହରିୟାଣା ବିଜେପିକୁ ବିଜୟୀ କରାଇ ନିଜର ରାଜନୈତିକ ପରିପକ୍ୱତାର ଆଉ ଏକ ପ୍ରମାଣ ଦେଇଛନ୍ତି ।
ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରି ବଡ ଦାୟିତ୍ୱ ଦେଇଥିଲା । ଆଉ ନିର୍ବାଚନ ପ୍ରସ୍ତୁତି ସମୟରେ ଧର୍ମେନ୍ଦ୍ର ଗ୍ରାଉଣ୍ଡରେ ରହି ସ୍ଥିତି ଉପରେ ନଜର ରଖିଥିଲେ । ସେ ରୋହତକ, ପଞ୍ଚକୁଲା ଓ କୁରୁକ୍ଷେତ୍ରରେ ଶିବିର ଲଗାଇ କାମ କରି ଚାଲିଲେ । ନିର୍ବାଚନ ସମୟରେ ସେ କୌଣସି ଇଣ୍ଟରଭ୍ୟୁ ଦେଇ ନ ଥିଲେ । ଭିତର ଭିତରେ ରହି ରଣନୀତି ପ୍ରସ୍ତୁତି କରି ଚାଲିଲେ । ଆଉ ତାର ଫଳାଫଳ ଏବେ ସଭିଙ୍କ ସାମ୍ନାରେ ।
ଓଡିଶା ପରେ ହରିୟାଣା ଧର୍ମେନ୍ଦ୍ରଙ୍କ ପାଇଁ ଦ୍ୱିତୀୟ ସଫଳତା । ସେ ଓଡିଶାର ବିଧାନସଭା ନିର୍ବାଚନରେ ମଧ୍ୟ ପାର୍ଟି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ହରିୟାଣା ନିର୍ବାଚନରେ ସେ ଗ୍ରାଉଣ୍ଡ ଜିରୋରେ ଛୋଟ ମୋଟ ବୈଠକ କରି ଚାଲିଥିଲେ । କାର୍ଯ୍ୟକର୍ତ୍ତାଙ୍କଠୁ ଫିଡବ୍ୟାକ ନେଇ ଚାଲିଥିଲେ ଏବଂ ଶୀର୍ଷ ନେତୃତ୍ୱଙ୍କୁ ସ୍ଥିତି ବିଷୟରେ ଅବଗତ କରାଇ କର୍ମୀଙ୍କ ମନୋବଳ ଦୃଢ କରିବାରେ ସଫଳ ହୋଇଥିଲେ ।
ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନ ହରିୟାଣାରେ ଅସନ୍ତୁଷ୍ଟ ନେତାଙ୍କୁ ମନାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଦୁର୍ବଳ ବୁଥ ଗୁଡିକୁ ଚିହ୍ନଟ କରି ଅନ୍ୟ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଆପଣେଇଥିଲେ । କର୍ମୀଙ୍କୁ ଟିଭି ଓ ସାମାଜିକ ଗଣମାଧ୍ୟମରେ ପାର୍ଟି ବିରୋଧରେ ଚାଲିଥିବା ଖବର ଉପରେ ଧ୍ୟାନ ନ ଦେଇ ତୃଣମୂଳସ୍ତରରେ କାମ କରିବା ପାଇଁ ପ୍ରେରିତ କରି ଚାଲିଥିଲେ । ଆଉ ଆଜି ବିଜେପି ଐତିହାସିକ ବିଜୟ ସହ କ୍ରମାଗତ ତୃତୀୟ ଥର ସରକାର ଗଢିବାକୁ ଯାଉଛି ।