ଭୁୁବନେଶ୍ୱର : ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସର ସଭାପତି ହେବା ପରେ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କଂଗ୍ରେସରେ ଯେତେ ସବୁ ନେତା ଓ କର୍ମୀଙ୍କୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା ତାହା ପ୍ରତ୍ୟାହାର କରାଯାଇଛି । ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରାଯାଇଛି । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷନା କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଭକ୍ତ ଦାସ କହିଛନ୍ତି, ଯେଉଁମାନେ କଂଗ୍ରେସ ଛାଡିଛନ୍ତି, ସେମାନଙ୍କୁ ଫେରିବାକୁ ଅପିଲ୍ କରିଛନ୍ତି ।
ଏଥିସହ ନୂଆ ସଭାପତି ଦାୟିତ୍ୱ ମିଳିବା ପରେ ଦଳର ନେତା ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଉର୍ଜା ସଞ୍ଚାର ପାଇଁ ରାଜ୍ୟ କଂଗ୍ରେସ ଅଣ୍ଟା ଭିଡିଛି । ଏହି କ୍ରମରେ ସଂକଳ୍ପ ପଦ ଯାତ୍ରା ବାହାର କରିବା ନେଇ ଦଳ ଘୋଷଣା କରିଛି । ଫେବୃଆରୀ ୧୮ରେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହେବ । ଭକ୍ତ ଚରଣ ଦାସ ସଭାପତି ହେବା ପରେ କଂଗ୍ରେସର ଏହା ହେଉଛି ପ୍ରଥମ କାର୍ଯ୍ୟକ୍ରମ ।
ସଂକଳ୍ପ ପଦଯାତ୍ରା ସଂଯୋଜନା ଲାଗି ଏକ କମିଟି ଗଠନ କରାଯାଇଛି । ଏଥିରେ ବରିଷ୍ଠ ଓ ଯୁବ ନେତୃତ୍ୱଙ୍କୁ ସ୍ଥାନ ଦିଆଯାଇଛି । ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଛି । ଭକ୍ତ ସଭାପତି ହେବା ପେରେ ରାଜ୍ୟ କଂଗ୍ରେସ ଏବେ ଆକ୍ଟିଭ ମୋଡକୁ ଆସିଛି । ଦୀର୍ଘ ସାତ ମାସ ପରେ କଂଗ୍ରେସକୁ ଭକ୍ତଙ୍କ ରୂପେ ନୂଆ ମୁଖିଆ ମିଳିଛି ।