ଶପଥ ଗ୍ରହଣ ଉତ୍ସବରେ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କଲା ବିଜେପି ଆସନ୍ତାକାଲି ରାଜ୍ଯର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବ। ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭୁବନେଶ୍ବର। ଏଥିପାଇଁ ଭୁବନେଶ୍ୱରର ଜନତା ମଇଦାନ ପ୍ରସ୍ତୁତ ହୋଇଗଲାଣି।
ଏସବୁ ମଧ୍ଯରେ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ନବୀନ ନିବାସ ଯାଇ ବିଜେପିର ୫ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ଯାଇ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି ।
ଆସନ୍ତାକାଲି ବିଜେପି ପାଇଁ ବହୁ ପ୍ରତୀକ୍ଷିତ ମୂହୁର୍ତ୍ତ। ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ନିଜର ସରକାର ଗଢ଼ିବାକୁ ଯାଉଛି । ଆସନ୍ତାକାଲି ଜନତା ମଇଦାନରେ ଭବ୍ୟ ଶପଥ ସମାରୋହ ଆୟୋଜନ ହୋଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ଏବେଠୁ ଅତିଥି ଆସୁଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରୁ ବିଜେପି ଅଫିସ ଯାଏଁ ନେତାଙ୍କୁ ସ୍ବାଗତ କରିବାକୁ କର୍ମୀ ମାନେ ସେଲିବ୍ରେସନ୍ ଚାଲିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ଏଥିଲାଗି ପୁରା ସୁରକ୍ଷା ବଳୟରେ ଘେରି ରହିଛି ରାଜଧାନୀ ଭୁବନେଶ୍ବର ।