ଜମି ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ଯେ, ଜମି ଦୁର୍ନୀତିରେ ସରକାରୀ କର୍ମଚାରୀଙ୍କର ହାତ ରହିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ଅଭିଯୋଗ ଆଣି କହିଛନ୍ତି, ରାଜ୍ୟରେ ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ଚାଲିଛି ଜମି ହଡପ। ଭୁବନେଶ୍ବରରୁ ୧୫ କିମି ଦୂରରେ ଏହି ଜମି ହଡପ ପ୍ରକଳ୍ପ ଚାଲିଛି । ଭଗବତୀପୁର ମୌଜା, ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇ ବିଳାସପୂର୍ଣ୍ଣ ଫାର୍ମ ହାଉସ୍ ହୋଇଛି । ସେଥିରେ ଅନାବାଦୀ, ଜଙ୍ଗଲ ଏବଂ ଦେବ ଜମି, କିଛି ବ୍ୟକ୍ତିଗତ ଜମି ବି ରହିଛି । ଏହାସହ ଅପରାଜିତା ଆହୁରି ମଧ୍ୟ କହିଛନ୍ତି, ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ମହିଳା ଶ୍ରୀମତୀ କିରୁଥିକା ପ୍ରଭାକରନ ତାଙ୍କ କଂପାନୀ ତ୍ରିବେଣୀ ଆର୍ଥମୁଭରସ୍ ଏହି ଜମି ଜବରଦଖଲ କରିଛନ୍ତି ।
ଏନେଇ ଲୋକମାନେ ବାରମ୍ବାର ଅଭିଯୋଗ କଲେଣି ହେଲେ ଅଭିଯୋଗ କଲେ ଅଧିକାରୀ କହୁଛନ୍ତି ଏଇଟା ପାଣ୍ଡିଆନ ପ୍ରୋଜେକ୍ଟ ଚାଲିଛି କୌଣସି ସରକାରୀ କର୍ମଚାରୀ କିଛି କହିପାରିବେନି । କେନାଲକୁ ବି ବନ୍ଦ କରି ପୋତି ଦେଇଛନ୍ତି କିରୁଥିକା ପ୍ରଭାକରନ । ସେଥିରେ ୩୦୦ ଚାଷୀ ପରିବାରଙ୍କ ଜମି ରହିଛି, ସେମାନେ ତାଙ୍କ ଜମିକୁ ଯାଇପାରୁନାହାନ୍ତି କି ପାଣି ପାଉ ନାହାନ୍ତି । ବାପୁଜୀ ନଗର, ଚନ୍ଦ୍ରଶେଖରପୁର, ନିଆଳି ଓଲଟପୁରରେ ବି ଜାଗା ନେଇଛନ୍ତି । ମାଇନିଂରୁ ପଇସା ଲଗେଇକି ତୃତୀୟ ମହଲାର ଜଣେ କର୍ମଚାରୀଙ୍କ ନାଁ ନେଇ ଲୋକଙ୍କୁ ଚାପି ଅଧିକାରୀଙ୍କୁ ଡରେଇ ଜମି ହଡପ କରୁଛନ୍ତି, ଏନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବେ କି ? ଏହାସହ କିରୁଥିକା ପ୍ରଭାକରନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖେ ସାହସ ଅଛି କି? ମୁଖ୍ୟମନ୍ତ୍ରୀ ସେହି ସ୍ଥାନକୁ ଯିବେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏସବୁ ପ୍ରଶ୍ନର ଉତ୍ତର ନରଖିଲେ ଆଗକୁ ପ୍ରତିବାଦ ହେବ ବୋଲି ଚେତାବନୀ ଦେଇଛନ୍ତି ଅପରାଜିତା ।