ଭୁୁବନେଶ୍ୱର : ଓଡିଶା ରାଜ୍ୟ କଂଗ୍ରେସ ସଭାପତି ନିଯୁକ୍ତ ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଶୁକ୍ରବାର ଓଡିଶା କଂଗ୍ରେସ ପ୍ରଭାରୀ ନିଯୁକ୍ତ କରିଛି । ଅଜୟ କୁମାର ଲଲ୍ଲୁଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଏ ନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ୪ ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ତାଙ୍କୁ ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।
୪୫ ବର୍ଷୀୟ ଅଜୟ କୁମାର ଲଲ୍ଲୁ ହେଉଛନ୍ତି ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲାର ବାସିନ୍ଦା । ସେ ୧୯୯୮-୯୯ରେ ଛାତ୍ର ସଂଘ ନିର୍ବାଚନ ମାଧ୍ୟମରେ ରାଜନୀତିରେ ପ୍ରବେଶ କରିଥିଲେ । ସେ ପ୍ରଥମ ଥର ୨୦୦୭ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢିଥିଲେ । ସମାଜବାଦୀ ପାର୍ଟିର ପ୍ରାର୍ଥୀଙ୍କଠୁ ହାରିବା ପରେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୧୨ ବିଧାନସଭା ନିର୍ବାଚନରେ କୁଶୀନଗର ଜିଲ୍ଲାର ତମକୁହି ରାଜ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ପ୍ରଥମ ଥର ବିଧାନସଭାକୁ ଯାଇଥିଲେ । ପୁଣି ୨୦୧୭ରେ ଏହି ଆସନରୁ ବିଜୟ ଲାଭ କରିଥିଲେ ।
ଏହା ପୂର୍ବରୁ ଆଜି ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସର ସଭାପତି ହେବା ପରେ ଶୁକ୍ରବାର ଏକ ବଡ ନିଷ୍ପତ୍ତି ରାଜ୍ୟ କଂଗ୍ରେସରେ ଯେତେ ସବୁ ନେତା ଓ କର୍ମୀଙ୍କୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା ତାହା ପ୍ରତ୍ୟାହାର କରିଛନ୍ତି । ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରାଯାଇଛି । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛନ୍ତି ପିସିସି ସଭାପତି ଭକ୍ତ ଦାସ ।
ଏଥିସହ ନୂଆ ସଭାପତି ଦାୟିତ୍ୱ ମିଳିବା ପରେ ଦଳର ନେତା ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଉର୍ଜା ସଞ୍ଚାର ପାଇଁ ରାଜ୍ୟ କଂଗ୍ରେସ ଅଣ୍ଟା ଭିଡିଛି । ଏହି କ୍ରମରେ ସଂକଳ୍ପ ପଦ ଯାତ୍ରା ବାହାର କରିବା ନେଇ ଦଳ ଘୋଷଣା କରିଛି । ଫେବୃଆରୀ ୧୮ରେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହେବ । ଭକ୍ତ ଚରଣ ଦାସ ସଭାପତି ହେବା ପରେ କଂଗ୍ରେସର ଏହା ହେଉଛି ପ୍ରଥମ କାର୍ଯ୍ୟକ୍ରମ ।