ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହାରି ଭିତରେ ଏକ ଚର୍ଚ୍ଚା ଜୋର ଧରିଛି। ୩ଟି ରାଜ୍ୟସଭା ଆସନ ପାଇଁ ଆଜି ବିଜେଡିର ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ସମସ୍ତ ୩ଟି ଯାକ ଆସନ ଜିତିବା ପାଇଁ ବିଜେଡି ପାଖରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ଥିଲେ ମଧ୍ୟ ଦଳ ମାତ୍ର ୨ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି।ତୃତୀୟ ପ୍ରାର୍ଥୀଙ୍କୁ ନେଇ ଏବେବି ସସପେନ୍ସ ଲାଗି ରହୁଛି। ବିଜେଡି ଆଜି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁ ବିଧାୟକଙ୍କ ଉପସ୍ଥିତିରେ ୨ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଛି ।
ପୂର୍ବ ଥର ଭଳି ବିଜେପି ଅଶ୍ୱିନୀଙ୍କୁ ପୁଣିଥରେ ପ୍ରାର୍ଥୀ କରିପାରେ ଓ ବିଜେଡି ତାଙ୍କୁ ସମର୍ଥନ କରିପାରେ ବୋଲି ଏବେ ଚର୍ଚ୍ଚା ଚାଲିଛି।
ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲିଠୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତାକାଲି ଦଳୀୟ ମୁଖ୍ୟାଳୟକୁ ଯିବା ସହ ରେଳବାଇ ଓ ବିଏସଏନଏଲ୍ ପ୍ରକଳ୍ପର ସମୀକ୍ଷା କରିବେ। ଏହାବ୍ୟତୀତ ସ୍ଥାନୀୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ତେବେ ବୈଷ୍ଣବଙ୍କ ଗସ୍ତ କାର୍ଯ୍ୟସୂଚୀରେ ବିଧାନସଭାକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିବା ନେଇ କୌଣସି ଉଲ୍ଲେଖ ନଥିବା କୁହାଯାଉଛି। ତଥାପି ଅଶ୍ୱିନୀ ଓଡ଼ିଶାରୁ ପୁଣିଥରେ ରାଜ୍ୟସଭାକୁ ରିପିଟ୍ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।