ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିବା ୬ ଜଣଙ୍କୁ ଜେଲରୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ଅଭିଯୁକ୍ତ ନଳିନୀ ଶ୍ରୀହରନ ସହ ଅନ୍ୟ ୫ ଜଣଙ୍କୁ ବି ଛାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏମାନଙ୍କୁ ମୁକ୍ତ କରିବାକୁ ପୂର୍ବରୁ ତାମିଲନାଡୁ ସରକାର ମଧ୍ୟ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ କିନ୍ତୁ ରାଜ୍ୟପାଳଙ୍କ ପାଖରେ ବହୁ ଦିନ ଧରି ରାଜକ୍ଷମା ଆବେଦନ ପଡ଼ି ରହିଥିବାରୁ ସମସ୍ତଙ୍କୁ ଜେଲରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ପେରାରିଭଲନଙ୍କୁ ମୁକ୍ତ କରିଥିଲେ ସୁପ୍ରିମକୋର୍ଟ । ସମ୍ବିଧାନର ଧାରା ୧୪୨ ଅନୁସାରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ୧୯୯୧ ମେ’ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମବୁଦୁରେ ଏକ ନିର୍ବାଚନ ରାଲିରେ ପ୍ରଚାର ବେଳେ ଆତ୍ମଘାତୀ ବୋମା ବିସ୍ଫୋରଣରେ ରାଜୀବ ଗାନ୍ଧିଙ୍କୁ ହତ୍ୟା କରାଯାଇଥିଲା । ଶ୍ରୀଲଙ୍କାର ଆତଙ୍କବାଦୀ ସଂଗଠନ ଏଲ୍ଟିଟିଇ ଏହି ଷଡ଼ଯନ୍ତ୍ର ରଚିଥିଲା ।