ବିକ୍ଷୋଭକାରୀଙ୍କୁ ଅଟକାଇ ବେଳେ ଦବଙ୍ଗଗିରି ଦେଖାଉଛି ପୋଲିସ, ପୀଡ଼ିତାଙ୍କୁ ନ୍ୟାୟ ଦେବାରେ କୁଆଡ଼େ ଯାଉଛି ସେ ଦାମ୍ଭିକତା
Khabar Odisha:Newsanalysis-odisha-Police-protest-the-protester-but-not-step-against-accused
ଭୁବନେଶ୍ଵର,ଜାନୁଆରୀ ୨୧(ଖବର ଓଡ଼ିଶା):

ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ପ୍ରତି ପାଶବିକ ଅତ୍ୟାଚାର ବଢି ଚାଲିଛି। ବିପର୍ଯ୍ୟନ୍ତ କାନୁନ ବ୍ୟବସ୍ଥା ପରୋକ୍ଷ ରୂପେ ଏହି ସବୁ ଘଟଣାକୁ ପ୍ରୋତ୍ସାହନ ଦେଉଛି। ବର୍ଷ ବର୍ଷ  ବିତିଗଲେ  ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ଏବଂ ଶାସକ ଦଳ ପକ୍ଷରୁ ବଳାତ୍କାରୀଙ୍କୁ ଘଣ୍ଟ ଘଉଡ଼ାଇବା ଯୋଗୁଁ ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡ଼ିଲେଣି। ଏହାକୁ ନେଇ ରାଜଧାନୀରେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ ସୋମବାର ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ସଚିବାଳୟରେ ଲାଲଚୁଡି ଦେବାକୁ ଉଦ୍ୟମ କରିଛନ୍ତି। ଏହା ପୂର୍ବରୁ ଲୟର ପିଏମଜି ପୋଲିସ ବଳ ପ୍ରୟୋଗ କରି ରାଲିକୁ ଅଟକାଇଛି। ଏହି ସମୟରେ ମହିଳା କର୍ମୀ ଓ ପୋଲିସ ସମୟରେ ଧସ୍ତାଧସ୍ତି ହୋଇଛି। ପୋଲିସ ଜୋର ଜବରଦସ୍ତ ଟାଣି ଘୋଷାଡ଼ି ମହିଳା କର୍ମୀଙ୍କୁ ବସରେ ଭର୍ତ୍ତି କରିଛି। ଏହା ଠିକ୍ କଥା ଯେ ସଚିବାଳୟ ଘେରାଉ କରିବାକୁ ଉଦ୍ୟମ କରୁଥିବା ମହିଳା ପ୍ରଦର୍ଶନକାରୀଙ୍କୁ ଅଟକାଇବା ପୋଲିସର କାମ। ପୋଲିସ ଏହା ଭୁଲିବା ଉଚିତ୍ ନୁହେଁ ଯେ  ମହିଳାଙ୍କୁ ସୁରକ୍ଷା ଦେବା ସେମାନଙ୍କର ପ୍ରଥମ କାମ। 

ଏଠାରେ ପ୍ରଶ୍ନ ମଧ୍ୟ ଉଠୁଛି ଯେ ସଚିବାଳୟ ଘେରାଉ କରିବା ପର୍ଯ୍ୟନ୍ତ କଥା କଣ ପାଇଁ ଯାଉଛି ? ରାଜ୍ୟରେ ଏବେ ଦେଖିବାକୁ ମିଳୁଛି ଯେ ବିରୋଧ ପ୍ରଦର୍ଶନକାରୀଙ୍କ ପ୍ରତି  କାର୍ଯ୍ୟାନୁଷ୍ଠାନ ନେବା ଏବେ ପୋଲିସ ପାଇଁ ପ୍ରଥମ ପ୍ରାଥମିକତା ହୋଇଛି। ପୋଲିସ ଯେତିକି ତତ୍ପରତାର ସହ ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ବଳ ପ୍ରୟୋଗ କରୁଛି ସେହି ଅନୁପାତରେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ କାହିଁକି ତତ୍ପର ହେଉ ନାହିଁ। ପୋଲିସ ପ୍ରଶାସନ ହେଉ କି କ୍ରାଇମବ୍ରାଞ୍ଚ ଏମିତି ତଦନ୍ତ କରୁଛନ୍ତି ଯେ ଦୀର୍ଘ ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ତ ଦୂରର କଥା ଅଭିଯୁକ୍ତଙ୍କୁ ମଧ୍ୟ ଧରି ପାରୁନାହାନ୍ତି। ଓଲଟା ପ୍ରଦର୍ଶନକାରୀଙ୍କୁ ଅଟକାଇବାରେ ପୋଲିସ ଶତ ପ୍ରତିଶତ ଉଦ୍ୟମ କରୁଛନ୍ତି। ଯଦି ପୋଲିସ ବିଭାଗ ପ୍ରଥମରୁ ଆନ୍ତରିକତାର ସହ ତଦନ୍ତ କରନ୍ତା ତେବେ ହୁଏତ ଏମିତି ପରିସ୍ଥିତି ଉପଜୁନ୍ତା ନାହିଁ। ଅଭିଯୁକ୍ତଙ୍କୁ ଦଣ୍ଡ ମିଳନ୍ତା ଏବଂ ପୀଡ଼ିତାଙ୍କୁ ନ୍ୟାୟ ମିଳନ୍ତା। ପୋଲିସକୁ ଲୋକହସାରୁ ବର୍ତ୍ତିବା ସହିତ ଏମିତି ସ୍ଥିତି ଦେଖିବାକୁ ପଡ଼ନ୍ତା ନାହିଁ।

ବିରୋଧ ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ଆମେ ବିରୋଧ କରୁନାହିଁ। ପୋଲିସର କର୍ତ୍ତବ୍ୟ ଆଇନ ଶୃଙ୍ଖଳାକୁ ଧ୍ୟାନରେ ରଖି ରାଜରାସ୍ତାରେ ବିକ୍ଷୋଭକାରୀଙ୍କୁ ରୋକିବା ଉଚିତ୍। ମାତ୍ର ପୋଲିସକୁ ମଧ୍ୟ ଏହା ଭୁଲିବା ଉଚିତ୍ ନୁହେଁ ତାଙ୍କରି ବିଫଳତା ପାଇଁ ବେବିନା, କୁନ୍ଦୁଲି, ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପରି ପୀଡ଼ିତାଙ୍କୁ ଦୀର୍ଘ ବର୍ଷ ପରେ ମଧ୍ୟ ନ୍ୟାୟ ମିଳି ନାହିଁ। ପୋଲିସ  ପ୍ରଶାସନ ଏବଂ ତଦନ୍ତକାରୀ ସଂସ୍ଥା କଣ ହୃଦବୋଧ କରିବା କଥା ନୁହେଁ, ଯେ ତାଙ୍କରି ତଦନ୍ତରେ ଶିଥିଳତା, ଖାସ୍ କରି ଶାସକ ଦଳର କଥାରେ ଉଠ ବସ ହେବା ଆଜି ରାଜ୍ୟର ଆଇନ ବ୍ୟବସ୍ଥାକୁ କେଉଁ ସ୍ତରକୁ ନେଇଛି। ଖାସ୍ କରି ଆଜି ରାଜ୍ୟରେ ମହିଳା କେତେ ସୁରକ୍ଷିତ ଅଛନ୍ତି।  ଦୁର୍ଭାଗ୍ୟର କଥା ପୋଲିସ ବିଭାଗ ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଶାସକ ଦଳର ହାତବାରିସି ସାଜି ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଛି। ସେମାନଙ୍କର ଏହି ସମ୍ବେଦନହୀନ କାର୍ଯ୍ୟ ଯୋଗୁଁ ଆଜି ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରତି ମହିଳାଙ୍କୁ ଖୋଦ୍ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିଛି। 

  • Tags:

Subscribe

National International State Sports Entertainment