ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ୟୁମନାମ୍ ଖେମଚାନ୍ଦ ସିଂହ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଶାସନର ପ୍ରାୟ ଗୋଟିଏ ବର୍ଷ ପରେ ସେ ରାଜ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ବଆଜି ଅପରାହ୍ନରେ ମଣିପୁରରୁ ରାଷ୍ଟ୍ରପତି ଶାସନ ହଟିଥିଲା। ମଣିପୁର ଲୋକଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଖେମଚାନ୍ଦଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ବିଜେପି ବିଧାୟକ, ବରିଷ୍ଠ ଦଳୀୟ ପଦାଧିକାରୀ ଏବଂ ରାଜ୍ୟର ଏନଡିଏର ଶୀର୍ଷ ନେତାଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି।
ଏହି ଅବସରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ବିଜେପି ବିଧାୟକ ନେମଚା କିପଗେନ ମଣିପୁରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। କିପଗେନ କୁକି ସମ୍ପ୍ରଦାୟର। ନାଗା ପିପୁଲ୍ସ ଫ୍ରଣ୍ଟ ବିଧାୟକ ଏଲ୍. ଦିଖୋ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ବିଜେପିର ଗୋବିନ୍ଦାସ କନ୍ଥୌଜାମ ଏବଂ ଏନପିପିର କେକେ ଲୋକେନ ସିଂହ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ନେମଚା କିପଗେନ ନୂଆଦିଲ୍ଲୀର ମଣିପୁର ଭବନରୁ ଡିଜିଟାଲ ଭାବରେ ଶପଥ ଗ୍ରହଣ କରିଥିଲେ।
ମଣିପୁରରେ ୩ ମଇ, ୨୦୨୩ରେ ହିଂସା ସୃଷ୍ଟି ହୋଇଥିଲା, ଯେତେବେଳେ ଚୁରାଚାନ୍ଦପୁରରେ କୁକି ଏବଂ ମୈତେଇ ସମ୍ପ୍ରଦାୟର ସଦସ୍ୟମାନେ ସଂଘର୍ଷ କରିଥିଲେ। ସେବେଠାରୁ ମଣିପୁରରେ ହିଂସା ଜାରି ରହିଛି। ଏହି ହିଂସା ମଧ୍ୟରେ, ଗତ ବର୍ଷ ମଣିପୁରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ଫେବୃଆରୀ ୧୨, ୨୦୨୫ରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।
ଅଧିକ ପଢନ୍ତୁ: ଅପରେସନ ଅନ୍ଵେଷଣ: ୭ ଦିନରେ ୫୪୫୧ ଜଣ ନିଖୋଜ ବ୍ୟକ୍ତି ଉଦ୍ଧାର