ବିବାହ ଉତ୍ସବକୁ ଯାଉଥିବା ସମୟରେ ସ୍କର୍ପିଓ ଉପରେ ଚଢ଼ିଗଲା ଟ୍ରକ୍ । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବିହାରର ଭାଗଲପୁରରେ । ଗତ ରାତିରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଧରି ବରଯାତ୍ରୀ ଯାଉଥିବା ଏକ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଭାଗଲପୁରର ମାୟାଗଞ୍ଜ ଡାକ୍ତରଖାନାକୁ ନିଆଯାଇଛି। ରାତି ପ୍ରାୟ ୧୧.୩୦ ସମୟରେ ଏହି ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଏକ ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ।
ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ତିନି ସ୍କର୍ପିଓରେ ବିବାହ ଶୋଭାଯାତ୍ରା ମୁଙ୍ଗେରର ଖଡଗପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଧାପାଦୀ ମୋଡ ଗୋବଡା ପଞ୍ଚାୟତର ଗୋରିଆ ଟୋଲା ଠାରୁ ପିରପେନ୍ତିର ଶ୍ରୀମତ୍ପୁର ଗ୍ରାମକୁ ଯାଉଥିଲା। ସେହି ସ୍କର୍ପିଓରେ ଡ୍ରାଇଭର ସମେତ ୧୧ ଜଣ ଥିଲେ । ଘୋଘା ଥାନା ଅନ୍ତର୍ଗତ ଅମାପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ହାଇୱା ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲାବେଳେ ହାଇୱା ନିୟନ୍ତ୍ରଣ ହରାଇ ସ୍କର୍ପିଓ ଉପରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା ।
ଅଧିକ ପଢନ୍ତୁ : ପତ୍ନୀଙ୍କୁ ଓଭରବ୍ରିଜରୁ ତଳକୁ ଫୋପାଡିବାକୁ ଚେଷ୍ଟା କରୁଥିଲା ସ୍ୱାମୀ, ଗିରଫ କଲା ପୋଲିସ