ନୂଆଦିଲ୍ଲୀ: ଲଦାଖ ହିଂସାରେ ଗିରଫ ହୋଇଥିବା ସୋନମ୍ ୱାଙ୍ଗଚୁକଙ୍କ ମାମଲାରେ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହୋଇଛି । ସୋନମଙ୍କ ପତ୍ନୀ ଗୀତାଞ୍ଜଳୀ ଓଂଗମୋଙ୍କ ଆବେଦନର ଶୁଣାଣି କରି କେନ୍ଦ୍ର ସରକାର, ଲଦାଖ ପ୍ରଶାସନ ଏବଂ ଯୋଧପରୁ ଜେଲ୍ ଅଧୀକ୍ଷକଙ୍କୁ ମାନ୍ୟବର ଅଦାଲତ ନୋଟିସ୍ ଜାରି କରିଛନ୍ତି । ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଲଦାଖ ନୋଟିସ୍ ଜାରି ଜବାବ ତଲବ କରିଛନ୍ତି, କାହିଁକି ସୋନମଙ୍କ ଛଡ଼ା ଯାଉନାହିଁ ।
ବିଚାରପତି ଅରବିନ୍ଦ କୁମାର ଏବଂ ବିଚାରପତି ଏନବି ଅଞ୍ଜରିୟାଙ୍କ ଖଣ୍ଡପୀଠ ସୋନମ ୱାଙ୍ଗଚୁକଙ୍କ ମାମଲାରେ ଶୁଣାଣି କରିଛନ୍ତି । ଗୀତାଞ୍ଜଳୀଙ୍କ ପକ୍ଷରୁ ମାମଲାର ପକ୍ଷ ରଖିଥିବା ଆଇନଜୀବୀ କପିଲ ସିବ୍ବଲ କହିଛନ୍ତି କେଉଁ ଆଧାରରେ ସୋନମଙ୍କୁ ଗିରଫ କରାଯାଇଛି ତାହାର ସୂଚନା ପ୍ରଦାନ କରାଯାଇ ନାହିଁ । ସିଲିସିଟର୍ ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସୋନମଙ୍କ ହେପାଜତରେ ରଖାଯାଇଥିବା ପରିବାର ଅବଗତ କରାଯାଇଛି । ଏକ ବିସ୍ତୃତ ସୂଚନା ଦିଆଯାଇଛି ଏବଂ ତାହାର ଆଉ ଗୋଟେ କପି ମଧ୍ୟ ତାଙ୍କ ପତ୍ନୀଙ୍କୁ ଦିଆଯିବ ।
ସେପଟେ ଗୀତାଞ୍ଜଳୀ କୋର୍ଟଙ୍କ ସମ୍ମୁଖରେ ଦୁଇଟି ଦାବି ଉପସ୍ଥାପନ କରିଛନ୍ତି । ଜେଲ ଥିବା ସ୍ୱାମୀ ସୋନମଙ୍କ ସହିତ ଫୋନରେ ବାର୍ତ୍ତାଳାପ ଏବଂ ସାକ୍ଷାତ କରିବାକୁ ଅନୁମତି ପ୍ରଦାନ କରାଯାଉ । ଜେଲରେ ଔଷଧ, ଖାଦ୍ୟ ଏବଂ କପଡ଼ା ଭଳି ଉଚିତ ବ୍ୟବସ୍ଥା କରିବାକୁ ଗୀତାଞ୍ଜଳୀ ଦାବି ରଖିଛନ୍ତି ।
ପ୍ରକାଶ ଯୋଗ୍ୟ, ସେପ୍ଟେମ୍ବର ୨୪ ତାରିଖରେ ଲେହରେ ହିଂସା ସୃଷ୍ଟି ହୋଇଥିଲା। ଲଦାଖକୁ ପୂର୍ଣ୍ଣ ରାଜ୍ୟରେ ମାନ୍ୟତା ଏବଂ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଆନ୍ଦୋଳନ ତୀବ୍ର ହୋଇଥିଲା । ଆନ୍ଦୋଳନକାରୀ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇବା ସହିତ ପୋଡ଼ାଜଳା କରିଥିଲେ । ଏଥିରେ ୪ ଜଣ ସାଧାରଣ ଜନତାଙ୍କର ମୃତ୍ୟୁ ହୋଇଥିଲା । ସୋନମ ୱାଙ୍ଗଚୁକ ହିଂସାକୁ ଉସୁକାଇବା ଅଭିଯୋଗରେ ସେପ୍ଟେମ୍ବର ୨୬ ତାରିଖରେ ଗିରଫ ହୋଇଥିଲେ । ତାଙ୍କ ବିରୁଦ୍ଧରେ ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।