ଖବର ଓଡ଼ିଶା: ପ୍ରକୃତିର କରାଳ ରୂପରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ୱାୟନାଡ଼ରେ ଏବେବି ସ୍ଥିତି ସମ୍ପୂର୍ଣ୍ଣଭାବେ ସ୍ୱାଭାବିକ ହୋଇ ନାହିଁ । ଏବେବି ମାଟି ତଳୁ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି ବଞ୍ଚିଯାଇଥିବା ପରିବାର ଲୋକ । ତେବେ ଏହି ପ୍ରକୃତି ତାଣ୍ଡବର କାରଣ ସାମ୍ନାକୁ ଆସିଛି । ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ଷାର ପରିମାଣ ୧୦ ପ୍ରତିଶତ ଅଧିକ ତୀବ୍ର ହେବାରୁ ପାହାଡ଼ ଧସିଥିଲା । ୱାର୍ଲ୍ଡ ୱେଦର ଏଟ୍ରିବ୍ୟୁସନ୍ ର ପାଣିପାଗ ବିଶେଷଜ୍ଞମାନେ କରିଥିବା ବିଶ୍ଳେଷଣରୁ ଏହି ତଥ୍ୟ ଜଣା ପଡ଼ିଛି ।
ଜୁଲାଇ ୩୦ରେ ୱାୟନାଡ଼ରେ ହୋଇଥିବା ପ୍ରବଳ ବର୍ଷାରୁ ଭୂସ୍ଖଳନ ହୋଇଥିଲା । ସରକାରୀ ତଥ୍ୟ ଅନୁସାରେ ୨୩୧ ଜଣ ପ୍ରାଣ ହରାଇଛନ୍ତି । କିନ୍ତୁ ବେସରକାରୀ ତଥ୍ୟ ଅନୁସାରେ ୫୦୦ ଲୋକ ପ୍ରାଣ ହରାଇଥିବା କୁହାଯାଉଛି । ତେବେ ଏହାରି ମଧ୍ୟରେ ବିଶ୍ୱର ବିଭିନ୍ନ ଦେଶର ପାଣିପାଗ ବିଶେଷଜ୍ଞମାନେ ଏହା ଉପରେ ଅଧ୍ୟୟନ କରିଛନ୍ତି । ଏଥିରେ ଭାରତ, ସ୍ୱିଡେନ୍, ଆମେରିକା ଓ ବ୍ରିଟେନ୍ ର ୨୪ ଅନୁସନ୍ଧାନକାରୀ ସାମିଲ ହୋଇଥିଲେ । ଏମାନଙ୍କ ଅଧ୍ୟୟନ ଅନୁଯାୟୀ, ୱାୟନାଡ଼ରେ ଦୀର୍ଘ ଦୁଇ ମାସ ଧରି ବର୍ଷା ଲାଗି ରହିଥିଲା । ଫଳରେ ପାହାଡ଼ ମାଟି ଧିରେ ଧିରେ ନରମ ହୋଇଯାଇଥିଲା । ଘଟଣା ଦିନ ସେହିଦିନ ୧୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯେଉଁଥିପାଇଁ ଏ ଭୟାନକ ଭୂସ୍ଖଳନ ହୋଇଥିଲା ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।
ରେଡକ୍ରସ ରେଡ କ୍ରେସେଣ୍ଟ ଜଳବାୟୁ କେନ୍ଦ୍ରର ଜଳବାୟୁ ବିପଦ ପରାମର୍ଶଦାତା ମାଜା ୱାଲବର୍ଗ କହିଛନ୍ତି, “ବର୍ଷା ହେତୁ କେରଳର ୱାୟାନାଡ ଅଞ୍ଚଳରେ ଭୂସ୍ଖଳନ ଘଟିଥିଲା, ଯେଉଁଟା କି ଭୂସ୍ଖଳନ ସମ୍ବେଦନଶୀଳ ସ୍ଥାନ ଅଟେ । ଜଳବାୟୁ ଗରମ ହେବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ବଢ଼ୁଛି । ଉତ୍ତର କେରଳରେ ଭୂସ୍ଖଳନକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତିକୁ ଦୃଢ଼ କରିବାକୁ ତତ୍ପରତା ବଢ଼ାଇବାକୁ ଏହା ଦର୍ଶାଉଛି । ”
ଅଧ୍ୟୟନରେ ଅନ୍ତର୍ଭୁକ୍ତ ମଡେଲଗୁଡିକ ମଧ୍ୟ ପୂର୍ବାନୁମାନ କରିଛନ୍ତି ଯେ ଯଦି ବିଶ୍ୱର ତାପମାତ୍ରା ୧୮୫୦ ରୁ ୧୯୦୦ ବୃଦ୍ଧି ହେଲେ ହାରାହାରି ତାପମାତ୍ରା ଠାରୁ ଦୁଇ ଡିଗ୍ରୀ ସେଲସିୟସ ରହିଥାଏ, ତେବେ ବର୍ଷାର ତୀବ୍ରତା ଆଉ ଚାରି ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ଥାଏ । ଗରମ ପରିବେଶରେ ଜଳବାୟୁରେ ଆର୍ଦ୍ରତା ସ୍ତର ଅଧିକ ଥାଏ, ଯାହା ଫଳରେ ପ୍ରବଳ ବର୍ଷା ହୋଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି ।