ନୂଆଦିଲ୍ଲୀ: ଟିଭିକେ ମୁଖ୍ୟ ତଥା ଅଭିନେତା ବିଜୟଙ୍କ ଶୋଭାଯାତ୍ରାରେ ହୋଇଥିବା ଦଳାଚକଟା ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରିବ । ମାନ୍ୟବର ସର୍ବୋଚ୍ଚ ଅଦାଲତ ତିନି ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ ବିଚାରପତି ଜେକେ ମାହେଶ୍ୱରୀ ଏବଂ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଶୁଣାଣୀ କରି ସିବିଆଇ ତଦନ୍ତ ପାଇଁ ରାୟ ଦେଇଛନ୍ତି । ଅବସରପ୍ରାପ୍ତ ବିଚାରପତି ଅଜୟ ରସ୍ତୋଗୀଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ ଏକ ତିନି ଜଣିଆ କମିଟି ମଧ୍ୟ ନିଯୁକ୍ତ କରିଛନ୍ତି । କମିଟିରେ ଦୁଇ ଜଣ ଆଇପିଏସ୍ ଅଧିକାରୀ ରହିବେ, ଯେଉଁମାନେ ତାମିଲନାଡୁ କ୍ୟାଡରର ହୋଇପାରନ୍ତି କିନ୍ତୁ ରାଜ୍ୟର ମୂଳ ବାସିନ୍ଦା ନଥିବେ । ଏହା ସହିତ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ଚେନ୍ନାଇ ବେଞ୍ଚ ଉପରେ ପ୍ରଶ୍ନ ଉଠାଇଛନ୍ତି । ଚେନ୍ନାଇ ବେଞ୍ଚ କାହିଁକି ମାମଲା ଶୁଣାଣି କଲେ ଏବଂ ଏଭଳି ଏକ ନିର୍ଦ୍ଦେଶ ଦେଲେ ? ଚେନ୍ନାଇ ବେଞ୍ଚ ସିବିଆଇ ତଦନ୍ତ କରିବାକୁ ମନି କରିଥିଲେ । କରୁର ଦଳାଚକଟାକୁ "ଦେଶକୁ ଥରାଇ ଦେଇଥିବା" ଘଟଣା ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ସେପ୍ଟେମ୍ବର ୨୭ରେ, ତାମିଲନାଡ଼ୁର କରୁରରେ ଟିଭିକେ ମୁଖ୍ୟ ବିଜୟଙ୍କ ଶୋଭାଯାତ୍ରାରେ ଦଳାଚକଟା ହୋଇଥିଲା । ଯେଉଁଥିରେ ୪୧ ଜଣଙ୍କର ମୃତ୍ୟୁ ଏବଂ ପ୍ରାୟ ୬୦ ଜଣ ଆହତ ହୋଇଥିଲେ । ବିଜୟଙ୍କ ରାଲି ପାଇଁ ପ୍ରାୟ ୧୦,୦୦୦ ଲୋକ କ୍ଷମତା ବିଶିଷ୍ଟ ଏକ ସ୍ଥାନରେ ପ୍ରାୟ ୩୦,୦୦୦ ଲୋକଙ୍କ ଭିଡ଼ ଜମିଥିଲା । ସୁରକ୍ଷା ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଏବଂ ଖାଦ୍ୟ ପାନୀୟ ଜଳ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିଲା ବୋଲି ତଦନ୍ତ ଅଧିକାରୀମାନେ କହିଛନ୍ତି ।