ନୋଏଡା: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଉପକଣ୍ଠ ନୋଏଡାସ୍ଥିତ ଜଣେ ହୋଟେଲ ବ୍ୟବସାୟୀଙ୍କ ନାବାଳକ ପୁଅର ଅପହରଣ ଓ ହତ୍ୟା ମାମଲାରେ ନୋଏଡା ପୁଲିସକୁ ବଡ଼ସଫଳତା ମିଳିଛି । ବିଟା୨ ଥାନା ଓ ସ୍ପେଶାଲ ୱେପନ୍ସ ଆଣ୍ଡ ଟାକ୍ଟିସ୍ (ସ୍ୱାଟ୍)ର ସଂଯୁକ୍ତ ଟିମ୍ ହତ୍ୟାକାଣ୍ଡରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର ପରେ ଗିରଫ କରିଛି । ପୁଲିସ କହିଛି, ଅଭିଯୁକ୍ତମାନେ ସୁଧ ଟଙ୍କା କାରବାରକୁ ନେଇ ଅପହରଣ ଓ ହତ୍ୟା ଷଡ଼ଯନ୍ତ୍ର କରିଛନ୍ତି ।
ସୂଚନାଯୋଗ୍ୟ, ଗତ ୧ ତାରିଖରେ ରବୁପୁରା ନିବାସୀ ହୋଟେଲ ବ୍ୟବସାୟୀ କୃଷ୍ଣ କୁମାରଙ୍କ ୧୫ ବର୍ଷୀୟ ପୁଅ ଅଚାନକ ହୋଟେଲରୁ ନିଖୋଜ ହୋଇଯାଇଥିଲା । ଚାରିଆଡ଼େ ଖୋଜାଖୋଜି ଓ ସିସିଟିଭି ଯାଞ୍ଚ କଲା ପରେ ଜଣାପଡ଼ିଲା ଯେ, ନାବାଳକକୁ ଅପହରଣ କରାଯାଇଛି । ଏହା ପରେ ପୁଲିସ ନିକଟରେ ପରିବାର ଲୋକେ ଅଭିଯୋଗ କରିଥିଲେ ।
ନାବାଳକକୁ ଅପହରଣ କରାଯିବାର ୪ ଦିନ ପରେ ତାର ମୃତଦେହ ଏକ ଡ୍ରେନ୍ରୁ ଉଦ୍ଧାର କରାଯାଇଥିଲା । ଘଟଣା ସହିତ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଟିମ୍ ଘନଘନ ଚଢ଼ାଉ ଆରମ୍ଭ କରିଦେଇଥିଲା । ଏହାରି ମଧ୍ୟରେ ପୁଲିସ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତମାନେ ଘଟଣାରେ ବ୍ୟବହୃତ ହୋଇଥିବା ଗାଡ଼ିକୁ ନେଇ କିଛି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । ଅଭିଯୁକ୍ତମାନଙ୍କ ଉପରେ ପୁଲିସ ଅତର୍କିତ ଚଢ଼ାଉ ସହ ଏନ୍କାଉଣ୍ଟର କରିଥିଲା । ଏନ୍କାଉଣ୍ଟର ପରେ ଅଭିଯୁକ୍ତ କୃଣାଳ ଓ ହିମାଂଶୁକୁ ପୁଲିସ ଗିରଫ କରିଥିଲା । ଏନକାଉଣ୍ଟରରେ ଗୁରୁତର ହିମାଂଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯାହାର ଚିକିତ୍ସା ଜାରି ରହିଛି ।
ଡିସିପି ସାଦ୍ ମିୟା ଖାନ୍ ଗଣମାଧ୍ୟମକୁ କହିଛନ୍ତି, ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ଦ୍ୱାରା ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ଏହା ପରେ ଚେକିଂକୁ ଜୋରଦାର କରାଯାଇଥିଲା । ପଚରାଉଚରା ବେଳେ ଜଣାପଡ଼ିଲା ଯେ, ସୁଧ ଟଙ୍କାକୁ ନେଇ ଏହି କାଣ୍ଡ କରାଯାଇଛି । ଦୁଇ ଅଭିଯୁକ୍ତ କୃଣାଳ ଓ ହିମାଂଶୁଙ୍କୁ ଗିରଫ କରାଯାଇଛି । ମନୋଜ ନାମରେ ଜଣେ ଅଭିଯୁକ୍ତ ପୂର୍ବରୁ ଗିରଫ ହୋଇଥିବା ବେଳେ ଅନ୍ୟ ଘଟଣାରେ ସଂପୃକ୍ତ ଜଣେ ମହିଳା ଫେରାର ଅଛନ୍ତି ।
ଅଧିକ ପଢନ୍ତୁ : ପିଶାଚୀ ମା’ର ନାରକୀୟ କାଣ୍ଡ: ଦୁଇଶିଶୁଙ୍କୁ ବିଷ ଦେଇ ମାରିଲା, ଛାତ ଉପରୁ ଡେଇଁ ଜୀବନ ହାରିଲା