ନୂଆଦିଲ୍ଲୀ: ସମସ୍ତ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କେନ୍ଦ୍ର ସରକାର । ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତରଣ କରାଯାଇଛି । ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଉପରେ ମୋହର ମାରିଛି କେନ୍ଦ୍ର । ଏହା ତାଙ୍କର ମୂଳ କର୍ମକ୍ଷେତ୍ର ଅଟେ ।
ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟ ସୁପାରିଶକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ବିଚାରପତି ଯଶବନ୍ତ ବର୍ମା ଆହ୍ଲାବାଦ ହାଇକୋର୍ଟରେ ବିଚାରପତିଭାବେ ଦାୟିତ୍ୱ ତୁଲାଇବେ । ଏହା ସହିତ ଦିଲ୍ଲୀ ହାଇକୋର୍ଟର ଅନ୍ୟ ଜଣେ ବିଚାରପତି ଚନ୍ଦ୍ରଧାରୀ ସିଂହଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଛି ।
ଅନ୍ୟପକ୍ଷରେ ଆହ୍ଲାବାଦ ହାଇକୋର୍ଟରେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ସ୍ଥାନାନ୍ତରକୁ ନେଇ ବିରୋଧ କରାଯାଉଥିଲା । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ କଲେଜିୟମ କହିଥିଲେ ଯେ ଟଙ୍କା ମିଳିବା ଘଟଣାଠାରୁ ଏହା ଭିନ୍ନ ଅଟେ ।
ଜଷ୍ଟିସ ବର୍ମାଙ୍କ ସରକାରୀ ବାସଭବନ ଆଉଟ୍ ହାଉସରେ ହୋଲିର ପୂର୍ବଦିନ ରାତିରେ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଙ୍କୁ ଆୟତ୍ତ କରିଥିଲେ । ତେବେ ଏହି ସମୟରେ ଜଷ୍ଟିସ୍ ବର୍ମାଙ୍କ ଘରୁ ବିପୁଳ ପରିମାଣରେ ପୋଡ଼ା ନୋଟ୍ ଜବତ ହୋଇଥିଲା । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏହାର ତଦନ୍ତ ପାଇଁ ପ୍ରଧାନ ବିଚାରପତି ସଞ୍ଜିବ ଖନ୍ନାଙ୍କ ନିର୍ଦ୍ଦେଶରେ ତିନି ଜଣିଆ କମିଟି ଅନ୍ତରୀଣ ଯାଞ୍ଚ ଆରମ୍ଭ କରିଥିଲେ ।