ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ଫସିଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ରାସ୍ତା ଫିଟିଛି । ଇରାନରେ ଫସିଥିବା ଭାରତୀୟଙ୍କ ପାଇଁ ସେଠାକାର ସରକାର ବିମାନବନ୍ଦରକୁ ସ୍ୱତନ୍ତ୍ର ଭାବେ ଖୋଲାଯାଇଛି । ଅପରେସନ ସିନ୍ଧୁ ଜରିଆରେ ପ୍ରାୟ ୧୦୦୦ ଭାରତୀୟ ଛାତ୍ର ଶୁକ୍ରବାର ରାତିରେ ଦିଲ୍ଲୀରେ ପହଁଚିବାର ସମ୍ଭାବନା ରହିଛି । ଏହା ଭାରତ ସରକାରଙ୍କ ବଡ଼ କୂଟନୈତିକ ବିଜୟ ବୋଲି କୁହାଯାଉଛି ।
ଇରାନ ତାର ଆକାଶମାର୍ଗକୁ ସ୍ୱତନ୍ତ୍ର ଭାବେ ଭାରତୀୟଙ୍କ ପାଇଁ ଖୋଲିଛି । ଆଜି ରାତି ୧୧ଟା ବେଳେ ପ୍ରଥମ ବିମାନ ଅବତରଣ କରିବ । ଇରାନ ମଶହଦ ସହରରୁ ଏହି ବିମାନ ଉଡ଼ାଣ ଆରମ୍ଭ କରିଛି । ଦ୍ୱିତୀୟ ଏବଂ ତୃତୀୟ ବିମାନ ଆସନ୍ତାକାଲି (ଶନିବାର) ପାଇଁ ରଖାଯାଇଛି । ଶନିବାର ସକାଳେ ଗୋଟିଏ ଏବଂ ସନ୍ଧ୍ୟାରେ ଆଉ ଗୋଟେ ବିମାନ ପହଁଚିବ । ଯେଉଁ ଭାରତୀୟମାନେ ଇରାନ ଛାଡ଼ି ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଚାଟାର୍ଡ୍ ବିମାନର ସୁବିଧା କରାଯାଇଛି ବୋଲି ଇରାନ ଅଧିକାରୀ କହିଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ, ଗତ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ହେବ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଦୁଇ ଦେଶ ମଧ୍ୟରେ ଘନ ଘନ ମିସାଇଲ ଆକ୍ରମଣ କରାଯାଉଛି । ମେଡ଼ିକାଲ, ନ୍ୟୁଜ୍ ରୁମ୍ ଏବଂ ସାଧାରଣ ସ୍ଥାନରେ ଡ୍ରୋନ୍ ଆକ୍ରମଣ ହେଉଛି । ଏଥିରେ କିଛି ଭାରତୀୟ ମଧ୍ୟ ଆହତ ହୋଇଛନ୍ତି । ତେଣୁ ସେଠାରେ ରହୁଥିବା ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ କେନ୍ଦ୍ର ସରକାର ଅପରେସନ ସିନ୍ଧୁ ଅଭିଯାନ ଆରମ୍ଭ କରିଛନ୍ତି ।
ବୁଧବାର ୧୧୦ ଛାତ୍ରଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ ୯୪ ଜଣ ଜମ୍ମୁ-କାଶ୍ମୀରର ଥିଲେ । ଏ ସମସ୍ତ ଛାତ୍ର ଉର୍ମିୟା ମେଡ଼ିକାଲ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲେ ।