ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ହେଗ୍ ସ୍ଥିତ ତଥାକଥିତ 'କୋର୍ଟ ଅଫ୍ ଆର୍ବିଟ୍ରେସନ'ର ନୂଆ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି ଭାରତ। ଏହି ଅଦାଲତର ଗଠନ ପ୍ରକ୍ରିୟା ହିଁ ବେଆଇନ ଏବଂ ଏହାର କୌଣସି ଆଇନଗତ ବୈଧତା ନାହିଁ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ତେଣୁ ଏହି କୋର୍ଟର କୌଣସି ବି ନିଷ୍ପତ୍ତି ବା ନିର୍ଦ୍ଦେଶକୁ ଭାରତ ମାନ୍ୟତା ଦେବାର ପ୍ରଶ୍ନ ଉଠୁନାହିଁ।
ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜାୟସୱାଲ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ବେଆଇନ ଭାବେ ଗଠିତ ଏହି ତଥାକଥିତ କୋର୍ଟ ୧୫ ମେ' ୨୦୨୬ରେ ସିନ୍ଧୁ ଜଳ ଚୁକ୍ତି ଅଧୀନରେ 'ସର୍ବାଧିକ ଜଳ ସଂରକ୍ଷଣ କ୍ଷମତା'ମାମଲାରେ ଏକ ମନଗଢ଼ା ନିଷ୍ପତ୍ତି ଶୁଣାଇଛି। ଭାରତ ଏହି ତଥାକଥିତ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରୁଛି। ଆମେ କେବେ ବି ଏହି କୋର୍ଟର ଗଠନକୁ ସ୍ୱୀକୃତି ଦେଇନଥିଲୁ। ତେଣୁ ଏହି ମଞ୍ଚର ଯେକୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ରାୟ ଆଇନ ଆଖିରେ ସମ୍ପୂର୍ଣ୍ଣ ଶୂନ୍ୟ ଏବଂ ଅମାନ୍ୟ ।
ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର
ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ଭାରତ ଯେଉଁ ନିଷ୍ପତ୍ତି ନେଇଥିଲା, ତାହା ଏବେ ବି ଜାରି ରହିଛି। ସୂଚନାଯୋଗ୍ୟ ଯେ, ୧୯ ସେପ୍ଟେମ୍ବର ୧୯୬୦ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନଦୀ ଜଳ ବଣ୍ଟନକୁ ନେଇ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
ତେବେ ଗତବର୍ଷ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ନିଜର ସାର୍ବଭୌମ ଅଧିକାର ପ୍ରୟୋଗ କରି ଏହି ସମ୍ପର୍କକୁ ସ୍ଥଗିତ କରିଦେଇଥିଲା। ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ଓ ସ୍ଥାୟୀ ଭାବେ ବନ୍ଦ ନକରିଛି, ସେପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଦଳିବ ନାହିଁ ବୋଲି ଦିଲ୍ଲୀ ଚେତାଇ ଦେଇଛି।
ଆମ ସାର୍ବଭୌମ ଅଧିକାର ଉପରେ ପ୍ରଶ୍ନ କରିବାକୁ କାହାରି ଅଧିକାର ନାହିଁ
ଜୁନ୍ ୨୦୨୫ରେ ମଧ୍ୟ ଭାରତ ସ୍ପଷ୍ଟ କରିସାରିଛି ଯେ, ଚୁକ୍ତି ସ୍ଥଗିତ ଥିବା ପର୍ଯ୍ୟନ୍ତ ଭାରତ ଏହି ଚୁକ୍ତିନାମାର କୌଣସି ସର୍ତ୍ତ ମାନିବାକୁ ବାଧ୍ୟ ନୁହେଁ। କୌଣସି ବି ମଧ୍ୟସ୍ଥତା କୋର୍ଟ, ବିଶେଷ କରି ଏଭଳି ଏକ ବେଆଇନ ସଂଗଠନ, ଭାରତର ସାର୍ବଭୌମ ନିଷ୍ପତ୍ତି ଓ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇ ପାରିବେ ନାହିଁ।
ବିଶ୍ୱ ମଞ୍ଚର ଅପବ୍ୟବହାର କରୁଛି ପାକିସ୍ତାନ
ପାକିସ୍ତାନ ନିଜର ପୁରୁଣା ଅଭ୍ୟାସ ଅନୁସାରେ ଆନ୍ତର୍ଜାତୀୟ ମଞ୍ଚଗୁଡ଼ିକର ଅପବ୍ୟବହାର କରୁଥିବା ଭାରତ ଅଭିଯୋଗ କରିଛି। ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ପାକିସ୍ତାନ ଏଭଳି "ନକଲି ମଧ୍ୟସ୍ଥତା ପ୍ରକ୍ରିୟା"ର ସାହାରା ନେଇ ବିଶ୍ୱ ସମୁଦାୟକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ନିଜକୁ ଆତଙ୍କବାଦର ବିଶ୍ୱ କେନ୍ଦ୍ରବିନ୍ଦୁ ସଜାଇଥିବା ପାକିସ୍ତାନ, ଏହି ସତ୍ୟରୁ ସମସ୍ତଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି ଚାଲ୍ ଚଳୁଛି ବୋଲି ଭାରତ କହିଛି।