ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏହା ଭାରତରେ ବଡ଼ ବିମାନ ଦୁର୍ଘଟଣା ମଧ୍ୟରେ ଅନ୍ୟତମ ଅଟେ । ଏଥିରେ ୨୦୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଦେଶର ପ୍ରମୁଖ ବିମାନ ଦୁର୍ଘଟଣା ଉପରେ, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି ।
୨୦୦୭ ଅଗଷ୍ଟ ୭ ତାରିଖରେ ଦେଶ ଏମିତିକି ଏକ ବିମାନ ଦୁର୍ଘଟଣା ଦେଖିଥିଲା । କେରଳର କୋଝିକୋଡ (କାଲିକଟ)ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବୋଇଂ ବିମାନ ୭୩୭-୮୦୦ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ କ୍ର୍ୟୁ ମେମ୍ବର ଏବଂ ଯାତ୍ରୀଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩୮ ଜଣ ଆହତ ହୋଇଥିଲେ । ଖରାପ ପାଗ ଏବଂ ଭୀଷଣ ବର୍ଷା ଯୋଗୁଁ ବିମାଟ ୧୦୦ ଫୁଟ ଘାଟି ତଳକୁ ଖସିପଡ଼ିଥିଲା ।
୨୦୧୦, ମେ ୨୨ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବୋଇଂ ବିମାନ କର୍ଣ୍ଣାଟକର ମାଙ୍ଗାଲୋରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୧୬୦ ଯାତ୍ରୀ ମଧ୍ୟରେ ୧୫୮ ଜଣ ପ୍ରାଣ ହରାଇଥିଲେ । ମାତ୍ର ୮ ଜଣ ନିଜ ଜୀବନ ବଞ୍ଚାଇ ପାରିଥିଲେ । ବିମାନଟି ଏକ ଘାଟିରେ ପଡ଼ି ଦୁଇ ଖଣ୍ଡ ହୋଇଯାଇଥିଲା । ରନୱେର ଅଧିକ ଦୌଡ଼ିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଇଥିଲା ।
୨୦୦୦ ଜୁଲାଇ ୧୭ ତାରିଖରେ ଏଲାୟାନ୍ସ ଏୟାର କମ୍ପାନୀର ବିମାନ ବିହାର ରାଜଧାନୀ ପାଟନାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ୫୬ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୫୧ ମୃତ ଦେହ ଘରୁ ବିମାନ ଭିତରୁ ମିଳିଥିଲା ଏବଂ ଆଉ ୫ଟି ବାହାରେ ପଡ଼ିଥିବା ଅବସ୍ଥାରେ ମିଳିଥିଲା ।
୧୯୯୬ ନଭେମ୍ବର ୧୨ ତାରିଖରେ ହୋଇଥିବା ବିମାନ ଦୁର୍ଘଟଣାର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଏ । ହରିୟାଣା ନିକଟରେ ଦୁଇ ଅନ୍ତର୍ଜାତୀୟ ବିମାନ ସାମ୍ମାସାମ୍ନି ଧକ୍କା ହୋଇଥିଲା । ଫଳରେ ୩୪୯ ଯାତ୍ରୀ ପ୍ରାଣ ହରାଇଥିଲେ । ଗୋଟିଅ ବିମାନ ସାଉଦୀ ଏୟାରଲାଇନ୍ସ ହୋଇଥିବାବେଳେ ଅନ୍ୟ କାଜାକିସ୍ତାନ ଏୟାରଲାଇନ୍ସ ବିମାନ ଥିଲା । ଏଥିରେ କାଜାକିସ୍ତାନ ବିମାନ ଚାଳକଙ୍କ ତ୍ରୁଟି ଥିଲା ବୋଲି ଜଣାପଡ଼ିଥିଲା ।
ସେହପିରି ୧୯୭୮ ଜାନୁୟାରୀ ୧ ତାରିଖରେ ମୁମ୍ବାଇର ବ୍ରାନ୍ଦ୍ରା ନିକଟରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାରେ ୨୧୩ ଜଣ ପ୍ରାଣ ହରାଇଥିଲେ । ୧୯୭୩ ମେ ୩୧ ତାରିଖରେ ପାଲମ ଏୟାରପୋର୍ଟରେ ଅବତରଣ ସମୟରେ ଚାଳକଙ୍କ ତ୍ରୁଟି ଯୋଗୁଁ ଇଣ୍ଡିଆନ୍ ଏୟାରଲାଇନ୍ସରେ ବିମାନ କ୍ରାସ୍ ହୋଇ ପ୍ରାୟ ୪୮ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିଲେ । ସେହିପରି ୧୯୮୮ ଅକ୍ଟୋବର ୧୯ରେ ସେହି ଅହମ୍ମଦାବାଦରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଦୁର୍ଘଟଣାରେ ୧୩୦ ଲୋକ ପ୍ରାଣ ହରାଇଥିଲେ ।
୧୯୯୩ ଅପ୍ରେଲ ୨୬ ତାରିଖରେ ଔରଙ୍ଗାବାଦରେ ୫୫ ଜଣ , ୧୯୯୧ ଅଗଷ୍ଟ ୧୬ ତାରିଖରେ ମଣିପୁର ଇମ୍ଫାଲରେ ୬୯ ଜଣ , ୧୯୯୦ ଫେବୃୟାରୀ ୧୪ ତାରିଖରେ ବେଙ୍ଗାଲୁର ଏୟାର ପୋର୍ଟରେ ଅବତରଣ ସମୟରେ ୯୨ ଜଣ ଏବଂ ୧୯୭୬ ଅକ୍ଟୋବର ୧୨ ତାରିଖରେ ମୁମ୍ବାଇରେ ୯୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।