ନୂଆଦିଲ୍ଲୀ: ଲୋକସଭାରେ ମନରେଗାର ନାଁ ବଦଳାଇବା ସମେତ ଅନେକ ପ୍ରାବଧାନକୁ ପରିବର୍ତ୍ତନ କରୁଥିବା ବିକଶିତ ଭାରତ- ଜୀ ରାମ ଜୀ ବିଧେୟକ ଗୃହୀତ ହୋଇଛି । କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ବିଧେୟକକୁ ଗୃହରେ ଉପସ୍ଥାପନ କରିଥିଲେ, ଯାହାକୁ ଗୁରୁବାର ମଞ୍ଜୁରୀ ମିଳିଛି । ଏହି ସମୟରେ ବିରୋଧୀଙ୍କ ଦ୍ୱାରା ଗୃହରେ ପ୍ରବଳ ହଟ୍ଟଗୋଳ ଜାରି ରହିଥିଲା । ଫଳରେ ଗୃହକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।
ଲୋକସଭାରେ ଯେଉଁ ସମୟରେ ବିଧେୟକ ଉପରେ ମତଦାନ ହେଉଥିଲା ସେହି ସମୟରେ ଅନେକ ବିରୋଧୀ ସାଂସଦ କାଗଜ ଖଣ୍ଡ ଖଣ୍ଡ କରି ଫିଙ୍ଗୁଥିଲେ । ଶିବରାଜ ସିଂ ଚୌହାନ ବିଧେୟକ ସପକ୍ଷରେ କହିଛନ୍ତି ଯେ, ମନରେଗା ଯୋଜନା ଦୁର୍ନୀତିର ଆଡ୍ଡା ପାଲଟି ଯାଇଥିଲା । ଏବେ ଯୋଜନାରେ ପରିବର୍ତ୍ତନ ହେବାରୁ ଏଥିରେ ଦୁର୍ନୀତି କମ କରାଯାଇ ପାରିବ ।
ମନରେଗାରୁ ମହାତ୍ମା ଗାନ୍ଧୀଙ୍କ ନାଁ ହଟାଯିବାକୁ ନେଇ ଶିବରାଜ କହିଛନ୍ତି, ରାମ ରାଜ୍ୟ ତ ବାପୁଙ୍କ ସ୍ୱ୍ ଥିଲା । ବାପୁ ତ ଆଜି ବି ଆମ ଗହଣରେ ଜୀବନ୍ତ ଅଛନ୍ତି । ଏଥିପାଇଁ ତାଙ୍କ ନାଁକୁ ହଟାଇବାର କୌଣସି ଅଭିପ୍ରାୟ ବି ନାହିଁ । ବିରୋଧୀ କେବେ ବି ଜନତାଙ୍କ ସ୍ୱର ଶୁଣେ ନାହିଁ । ସେମାନେ କେବଳ ନିଜର କଥା କୁହନ୍ତି ଏବଂ ନିଜର ଶୁଣନ୍ତି । ଅନ୍ୟପଟେ ବିରୋଧୀଙ୍କ କହିବା କଥା ଏହି ବିଧେୟକ ଉପରେ ଆଲୋଚନା ପାଇଁ ବହୁତ କମ ସମୟ ଦିଆଯାଇଛି । କେନ୍ଦ୍ର ସରକାରଙ୍କ କହିବା କଥା ଏବେ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଭାଗିଦାରୀ ବଢିଲେ ଦୁର୍ନୀତି କମ କରିବାରେ ସହାୟକ ହୋଇ ପାରିବ ।
ବିରୋଧୀଙ୍କ ହଟ୍ଟଗୋଳକୁ ନେଇ କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି, ଏହି ପରି ବିଧେୟକକୁ ଫାଡି ଫିଙ୍ଗିବା ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ବିରୋଧୀ । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏହି ବିଧେୟକ ମନରେଗା ଯୋଜନାକୁ ସମାପ୍ତ କରିବା ପାଇଁ ଏକ ଷଡଯନ୍ତ୍ର । ତେବେ ବିରୋଧୀଙ୍କ ଏମିତି ବ୍ୟବହାର ଦେଖି ଘୋର ଆପତ୍ତି ପ୍ରକାଶ କରିଛନ୍ତି ବାଚସ୍ପତି ଓମ ବିର୍ଲା ।
Also read: କିଏ ଏହି ହସନତ ଅବଦୁଲ୍ଲା, ପୂର୍ବୋତରକୁ ଅଲଗା କରିବାକୁ ଦେଉଛି ଧମକ ?