ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରଣାଳୟ(ଏମଇଏ) ବାଂଲାଦେଶର ଉଚ୍ଚାୟୁକ୍ତ ଏମ ରିୟାଜ ହମିଦୁଲ୍ଲାଙ୍କୁ ତଲବ କରିଛି । ଏହା ସହିତ ଭାରତୀୟ ଉଚ୍ଚାୟୋଗଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ପ୍ରକାଶ କରିଛି । ବାଂଲାଦେଶର ନ୍ୟାସନାଲ ସିଟିଜନ ପାର୍ଟି(ଏନସିପି)ର ନେତା ହସନତ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ ପରେ ଭାରତ ଏହି ପଦକ୍ଷେପ ଉଠାଇଛି । ଭାରତର ପୂର୍ବୋତର ରାଜ୍ୟ(୭ ରାଜ୍ୟ)କୁ ଅଲଗା କରିବା ଏବଂ ବିଚ୍ଛିନ୍ନତାବାଦୀ ସମୂହକୁ ଶରଣ ଦେବାକୁ ହସନତ ଧମକ ଦେଇଥିଲେ ।
ହସନତ ଅବଦୁଲ୍ଲା କିଏ ?
୨୭ ବର୍ଷୀୟ ହସନତ ଅବଦୁଲ୍ଲା ୨୦୨୪ରେ ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବିରୋଧରେ ଛାତ୍ର ଆନ୍ଦୋଳନ ସମୟରେ ଚର୍ଚ୍ଚାକୁ ଆସିଥିଲା । ଏହି ଆନ୍ଦୋଳନ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସରକାରଙ୍କ ବିରୋଧରେ ବିକ୍ଷୋଭ ବ୍ୟାପକ ରୂପ ନେଇଥିଲା । ପରିଣାମସ୍ୱରୂପ ହସିନାଙ୍କୁ କ୍ଷମତା ଛାଡି ଦେଶରୁ ପଳାୟନ କରିବାକୁ ପଡିଥିଲା । ସେହି ସମୟରେ ଅବଦୁଲ୍ଲା ଷ୍ଟୁଡେଣ୍ଟ ଏଗେନଷ୍ଟ ଡିସ୍କ୍ରିମିନେସନ ପ୍ଲାଟଫର୍ମର ପ୍ରମୁଖ ସମନ୍ୱୟକ ମଧ୍ୟରୁ ଜଣେ ଥିଲେ ।
ହସିନାଙ୍କ ଇସ୍ତଫା ପରେ ଅବଦୁଲ୍ଲା ୨୦୨୫ ଫେବୃଆରୀରେ ସୃଷ୍ଟି ନ୍ୟାସନାଲ ସିଟିଜନ ପାର୍ଟି(ଏନସିପି)ରେ ସାମିଲ୍ ହୋଇଥିଲେ । ତାଙ୍କୁ ପାର୍ଟିର ଦକ୍ଷିଣ କ୍ଷେତ୍ରର ମୁଖ୍ୟ ଆୟୋଜକ ଭାବେ ନିଯୁକ୍ତ କରାଯାଇଛି । ଅବଦୁଲ୍ଲା ସର୍ବଦା ବିବାଦ ଘେରରେ ରହି ଆସିଛନ୍ତି । ଅବଦୁଲ୍ଲା ପୂର୍ବରୁ କହିଥିଲେ ଯେ, ଯଦି ବାଂଲାଦେଶକୁ ଅସ୍ଥିର କରିବା ପାଇଁ ଉଦ୍ୟମ କରାଯାଏ ତେବେ ବିରୋଧର ନିଆଁ ସୀମା ଅତିକ୍ରମ କରିଯିବ । କାରଣ ଆପଣ ଆମ ଦେଶକୁ ଅସ୍ଥିର କରୁଥିବା ଶକ୍ତିକୁ ଶରଣ ଦେଉଛନ୍ତି ।
ଏହାରି ବଦଳରେ ଆମେ ଭାରତର ସାତ ରାଜ୍ୟରେ ଥିବା ବିଚ୍ଛିନ୍ନତାବାଦୀ ଲୋକଙ୍କୁ ଶରଣ ଦେବୁ । ମୁଁ ଭାରତକୁ ସ୍ପଷ୍ଟ ଶବ୍ଦରେ କହିବାକୁ ଚାହୁଁଛି ଯେ, ଯଦି ଭାରତ ବାଂଲାଦେଶର ସାର୍ବଭୌମତ୍ୱ, କ୍ଷମତା, ମତାଧିକାର ଓ ମାନବାଧିକାରର ସମ୍ମାନ କରିବ ନାହିଁ ତେବେ ବାଂଲାଦେଶ ମଧ୍ୟ ଏହାର ଜବାବ ଦେବ ବୋଲି ହସନତ ଅବଦୁଲ୍ଲା କହିଥିଲେ ।
Also read: ମୁଁ ୧୦ ମାସ ମଧ୍ୟରେ ଆଠଟି ଯୁଦ୍ଧର ସମାଧାନ କରିଛି: ଟ୍ରମ୍ପ୍