ୱାଶିଂଟନ, ଜୁଲାଇ ୧୩ ( ଖବର ଓଡ଼ିଶା):
ଆମେରିକାର ସାନ ଡିଏଗୋରେ ଥିବା ଏକ ନୌସେନା ବେସରେ ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡରେ 21 ଜଣ ଲୋକ ଆହାତ ହୋଇଥିବା ଜଣାପଡିଛି । ଆମେରିକାର ପାସିଫିକ୍ ଫ୍ଲାଇଟ୍ 'ନାଭାଲ୍ ସର୍ଫେସ୍ ଫୋର୍ସ'ର ମୁଖପାତ୍ର ମାଇକ୍ ରାନେ କହିଛନ୍ତି ଯେ ରବିବାର ସକାଳ 9ଟା ସମୟରେ ୟୁଏସଏସ ବୋନହୋମ ରିଚାର୍ଡ ନାମକ ଏକ ଜାହାଜରେ ନିଆଁ ଲାଗି ଯାଇଥିଲା ।
ରାନେ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଆହାତ ହୋଇଥିବା 17 ଜଣ ନୌସେନା ଯବାନ ଏବଂ ଚାରି ଜଣ ସାଧାରଣ ନାଗରିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନେ ସୁସ୍ଥ ଅଛନ୍ତି । ଜାହାଜରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି । ରାନେ କହିଛନ୍ତି ଯେ ଦୁର୍ଘଟଣା ସମୟରେ ଜାହାଜରେ ପ୍ରାୟ 160 ଜଣ ଲୋକ ଥିଲେ ।
ଏଥି ସହ ନୌସେନା ରବିବାର ଦିନ ଏକ ବିବୃତ୍ତି ଜାରି କରି କହିଥିଲା ଯେ ସ୍ଥାନୀୟ ଡାକ୍ତରଖାନାରେ 17 ଜଣ ନୌସୈନିକ ଏବଂ ଚାରିଜଣ ସାଧାରଣ ନାଗରିକ ଚିକିତ୍ସିତ ହେଉଛନ୍ତି। ସେମାନେ ସମସ୍ତେ ବିପଦମୁକ୍ତ ଅଛନ୍ତି । ଜାହାଜରେ ଥିବା ସମସ୍ତଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ଅଗ୍ନିଶମ ଦଳ ପକ୍ଷରୁ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।