ମାଲକାନଗିରି: ଓଡ଼ିଶା ସୀମାନ୍ତ ଛତିଶଗଡ଼ ବୀଜାପୁର ଜିଲ୍ଲାରେ ପୁଣି ଥରେ ମାଓବାଦୀଙ୍କ ନାରକୀୟ କାଣ୍ଡ ଦେଖିବାକୁ ମିଳିଛି । ସୋମବାର ସକାଳେ ଏକ ଭୟଙ୍କର ଆଇଇଡି ବିସ୍ଫୋରଣରେ ଜଣେ ଡିଆରଜି ଯବାନ ସହିଦ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଯବାନ ହେଲେ ଦିନେଶ ନାଗ ।
ଅଧିକାରୀଙ୍କ ସୂଚନା ମୁତାବକ, ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ବିଛାଇଥିଲେ । ସୋମବାର ସକାଳେ ସୁରକ୍ଷାବାହିନୀ ପକ୍ଷରୁ ତଲାସୀ ଅଭିଯାନ ଚାଲିଥିବାବେଳେ ଦିନେଶ ନାଗ ଏକ ଲ୍ୟାଣ୍ଡମାଇନ୍ ଉପରେ ପାଦ ରଖିଦେଇଥିଲେ । ଫଳରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲାବେଳେ ୩ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।