ନୂଆଦିଲ୍ଲୀ: ଭୋଟର ତାଲିକାରେ କଥିତ ଗଡବଡ ଏବଂ ହେରଫେର ଏବଂ ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ନିର୍ବାଚନ ଆୟୋଗଙ୍କ ବିରୋଧରେ ବିରୋଧୀ ଦଳ ଲଢେଇକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି । ଇଣ୍ଡିଆ ମେଣ୍ଟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି କରୁଛି । ଏହାକୁ ନେଇ ବୈଠକରେ ଆଲୋଚନା ମଧ୍ୟ ହୋଇଛି । ଏହା ସହିତ ଇଣ୍ଡିଆ ମେଣ୍ଟର ନେତା ସୋମବାର ସନ୍ଧ୍ୟାରେ ଉପରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ମଧ୍ୟ ଆଲୋଚନା କରି ପାରନ୍ତି ।
ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ, ଲୋକସଭା ନିର୍ବାଚନ ସମୟରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ହରିୟାଣାରେ ଭୋଟ୍ ଚୋରି ହୋଇଛି । ନିର୍ବାଚନ ଆୟୋଗ ନିର୍ବାଚନ ସମୟରେ କ୍ଷମତାସୀନ ବିଜେପିର ସମର୍ଥନ କରୁଛି ଏବଂ ଭୋଟର ତଥ୍ୟରେ ଜାଲିଆତି କରୁଛି । ଗତ ଅଗଷ୍ଟ ୭ରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ, ବେଙ୍ଗାଲୁରୁ ସେଣ୍ଟ୍ରାଲର ମହାଦେବପୁରାରେ ଏକ ଲକ୍ଷରର ଅଧିକ ଭୋଟ୍ ଚୋରି ହୋଇଥିଲା ଏବଂ ବିଜେପି ଏହି ବଳରେ ନିର୍ବାଚନ ଜିତିଥିଲା ।
କଂଗ୍ରେସ ନିର୍ବାଚନ ଆୟୋଗଙ୍କ ଦାବିକୁ ହାସ୍ୟାସ୍ପଦ କହିଛି । କାରଣ ଗତକାଲି ନିର୍ବାଚନ ଆୟୋଗ ଦାବି କରିଥିଲେ ଯେ, ଇସିଆଇ କାହା ସହ ଭେଦଭାବ କରେନି । ନା ସପକ୍ଷ ନା ବିପକ୍ଷ ସଭିଙ୍କ ପାଇଁ ସେ ସମକକ୍ଷ । ଏହା ସହିତ ଇସିଆଇ କହିଥିଲେ ଯେ, କଂଗ୍ରେସକୁ ଭୋଟ୍ ଚୋରି ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବା ଦରକାର ନଚେତ୍ କ୍ଷମା ମାଗିବା ଦରକାର । ଏମିତି ଅଭିଯୋଗ କରି ଇସିଆଇର ଗୁରୁତ୍ୱ କମ କରିବାକୁ କଂଗ୍ରେସ ଅପଚେଷ୍ଟା କରୁଛି ।
କେମିତି ହଟାଯାଇ ପାରିବ ନିର୍ବାଚନ ଆୟୁକ୍ତ ?
ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ମହାଭିଯୋଗ ଆଣିବାର ନିୟମ ସୁପ୍ରିମକୋର୍ଟ ଜଜଙ୍କ ପରି ହୋଇଥାଏ । ଧାରା ୩୨୪(୫) ଆଧାରରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଅଣା ଯାଇପାରେ । ଦୁଇ ଗୃହରେ ବିତର୍କ ପରେ ଯଦି ପ୍ରସ୍ତାବ ସମର୍ଥନରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ଭୋଟ୍ ମିଳେ ତେବେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ପଦରୁ ହଟାଯାଇପାରେ । ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ମଞ୍ଜୁରୀ ଦେଇଥାନ୍ତି । ନିୟମ ରହିଛି ଯେଉଁ ଅଧିବେଶନ ପ୍ରସ୍ତାବ ଅଣାଯିବ ସେହି ଅଧିବେଶନରେ ହିଁ ପାରିତ ହେବା ଜରୁରୀ ।