ନୂଆଦିଲ୍ଲୀ: କୋଲାକତା ଆର.ଜି କର ମେଡ଼ିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ୍ତର ଦୁଷ୍କର୍ମ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରୁଛନ୍ତି । ତେବେ ଶୁଣାଣି ସମୟରେ ଜୁନିୟର ଡାକ୍ତର ସଂଘ କାର୍ଯ୍ୟକୁ ଫେରିବେ ବୋଲି କୋର୍ଟକୁ କହିଛନ୍ତି । ଏଥିପାଇଁ ସେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ଅନ୍ୟପକ୍ଷରେ କାର୍ଯ୍ୟକୁ ଫେରିବାକୁ ଚାହୁଁଥିବା ଡାକ୍ତରଙ୍କୁ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଆଶ୍ଵସନା ଦେଇଛନ୍ତି ।
ସର୍ବୋଚ୍ଚ ଅଦାଲତଙ୍କ ମୁଖ୍ୟ ନ୍ୟାୟାଧୀଶ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ତେବେ ଆଜିର ଶୁଣାଣିରେ ଡାକ୍ତର ସଂଘ କାର୍ଯ୍ୟରେ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ସେମାନେ ମମତା ସରକାରଙ୍କ ସହିତ ଆଲୋଚନା ମଧ୍ୟ କରିବାକୁ ଚାହୁଁଛନ୍ତି । ଆଇନଜୀବୀ ଜୟସିଂ ପଚାରିଥିଲେ ଯେ ଯଦି ଡାକ୍ତର ସଂଘ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦିଅନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଆଶ୍ୱସନା ଦେଇ କହିଥିଲେ କି ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଅନ୍ୟପକ୍ଷରେ ସିନିୟର ଡାକ୍ତରମାନେ ଏକ ସଙ୍ଗୀନ ଅଭିଯୋଗକୁ ମାନ୍ୟବର କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆର.ଜି କର ମେଡ଼ିକାଲର ଆର୍ଥିକ କାରବାର ସହିତ ଦୁଷ୍କର୍ମ ମାମଲା ଜଡ଼ିତ ଅଛି । ସେଥିପାଇଁ ସୁପ୍ରିମକୋର୍ଟ ଏହି ମାମଲାରେ ତଦନ୍ତ ରିପୋର୍ଟ ଆଗାମୀ ଶୁଣାଣିରେ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ୱିକି ପିଡ଼ିଆରୁ ପୀଡ଼ିତାଙ୍କ ନାମ ଓ ଫଟୋ ହଟାଇବାକୁ କୋର୍ଟ ସିଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଆଇନଜୀବୀ କପିଲ ସିବଲ ମାମଲାର ଶୁଣାଣିକୁ ସିଧା ପ୍ରସାରଣ ନ କରିବାକୁ ଅନୁରୋଧ କରିଥିଲେ । ସିବଲ କହିଛନ୍ତି ଯେ ତାଙ୍କ ଟିମକୁ ସୋସିଆଲ ମିଡ଼ିଆରେ ଏବଂ ବାହାରେ ଧମକ ଦିଆଯାଉଛି । ମାତ୍ର କୋର୍ଟ ସିଧା ସିଧା ମନା କରିଦେଇଥିଲେ । ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଚୂଡ଼ କହିଥିଲେ ଯେ ଜନହିତ ଦୃଷ୍ଟିରୁ ସିଧାପ୍ରସାରଣ ବନ୍ଦ କରାଯାଇ ପାରିବ ନାହିଁ ।