ମୁମ୍ବାଇ: ଶେଷରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଭାରତର ରତ୍ନ ପଦ୍ମ ବିଭୂଷଣ ରତନ ରତନ ଟାଟା । ମୁମ୍ବାଇର ୱର୍ଲିରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଗୁରୁବାର ତାଙ୍କର ଶେଷ କୃତ୍ୟ କରାଯାଇଛି । ରାଷ୍ଟ୍ରିୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପାର୍ସି ନୀତି ନିୟମ ଅନୁସାରେ ତାଙ୍କର ଶେଷ କୃତ୍ୟ ହୋଇଛି ।
ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ରତନ ଟାଟା ଦେହ ତ୍ୟାଗ କରିଥିଲେ । ଗତ ସୋମବାର ଠାରୁ ସେ ଅସୁସ୍ଥ ଥିଲେ । ଗତକାଲି ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସମସ୍ତ ଚେଷ୍ଟା ପ୍ରଚେଷ୍ଟା ପରେ ସେ ପ୍ରାଣ ତ୍ୟାଗ କରିଥିଲେ । ଏହା ପରେ ଆଜି ସକାଳେ ତାଙ୍କ ମରଶରୀରକୁ ନରିମନ୍ ପଏଣ୍ଟ ସ୍ଥିତ ଏନସିପିଏ ଗ୍ରାଉଣ୍ଡରେ ରଖାଯାଇଥିଲା । ଦେଶର ବହୁ ବରିଷ୍ଠ ନେତା, ମନ୍ତ୍ରୀ, ଅଧିକାରୀ, ଅଭିନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କର ଶେଷ ଦର୍ଶନ କରିଥିଲେ ।
ଗୃହ ମନ୍ତ୍ରୀ ଅମିତ ଶାହା, ପୀୟୁଷ ଗୋଏଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ମହାରାଷ୍ଟ୍ର ରାଜ୍ୟପାଳ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଶରଦ ପାୱାର, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ପ୍ରମୁଖ ଶେଷ ଦର୍ଶନ କରିଥିଲେ ।
ସେହିପରି ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ, ଇଶା ଅମ୍ବାନୀ, ଆନନ୍ଦ ପୀରାମଲ, କୁମାର ମଙ୍ଗଳମ୍, ଅଭିନେତା ଅମୀର ଖାନ, କିରଣ ରାଓ ପ୍ରମୁଖ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ରତନ ନାଭାଲ ଟାଟା । ନିଜର ଅସାଧାରଣ ବ୍ୟକ୍ତିତ୍ୱ, ସରଳ ଜୀବନ ଶୈଳୀ, ସରଳ ହୃଦୟ ଏବଂ ଦୟାବାନ ବ୍ୟକ୍ତିତ୍ୱ ପାଇଁ ସେ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ । ୧୯୬୨ରେ ସେ ପ୍ରଥମେ ଟାଟା ଗ୍ରୁପରେ ଯୋଗ ଦେଇଥିଲେ। ୧୯୯୧ରେ ଜେଆରଡି ଟାଟା ଅବସର ନେବା ପରେ ସେ ଟାଟା ସନ୍ସ ଚେୟାରମ୍ୟାନ୍ ପଦ ଅଳଙ୍କୃତ କରିଥିଲେ ।
ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଓ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।