ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ସରକାରଙ୍କ ପକ୍ଷରୁ ପ୍ରତି ରାଜ୍ୟକୁ ସର୍ତକତା ରହିବାକୁ ଏବଂ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ଏହାରି ଭିତରେ ଦେଶରେ କରୋନାର ନୂଆ ମାମଲା ୬ ହଜାର ପାର୍ କରିଛି । ରାଜଧାନୀ ଦିଲ୍ଲୀରେ ବି କରୋନା ମାମଲା ବୃଦ୍ଧି ପାଉଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ତଥ୍ୟ ମୁତାବିକ, ଦେଶରେ କରୋନା ମାମଲା ଏବେ ବୃଦ୍ଧି ପାଇ ୬ହଜାର ୧୩୩ରେ ପହଞ୍ଚିଛି । ୬ହଜାର ୨୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ୨୪ଘଣ୍ଟାରେ ୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ କେରଳର ୩ଜଣ ଥିବା ବେଳେ କର୍ଣ୍ଣାଟକରୁ ୨ଜଣ ଏବଂ ତାମିଲନାଡୁରୁ ଜଣେ ରହିଛନ୍ତି ।
ପ୍ରାଣ ହରାଇଥିବା ୬ ମୃତକ ପୁରୁଷ:
୨୪ ଘଣ୍ଟାରେ ପ୍ରାଣ ହରାଇଥିବା ସମସ୍ତ କରୋନା ସଂକ୍ରମିତ ଥିଲେ ପୁରୁଷ । ମୃତ୍ୟୁବରଣ କରିଥିବା ତିନି ଜଣ ରୋଗୀଙ୍କ ବୟସ ୫୦ ବର୍ଷରୁ ଅଧିକ ଥିଲା। ଜଣଙ୍କର ବୟସ ୫୧ ବର୍ଷ, ଅନ୍ୟ ଜଣଙ୍କର ବୟସ ୬୪ ବର୍ଷ ଏବଂ ତୃତୀୟ ଜଣଙ୍କର ବୟସ ୯୨ ବର୍ଷ ଥିଲା। ଯେତେବେଳେ ତାମିଲନାଡୁରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ସେହିପରି କର୍ଣ୍ଣାଟକର ୨ ମୃତକଙ୍କ ମଧ୍ୟରେ ଜଣେ ୪୬ ବର୍ଷୀୟ ଥିବା ବେଳେ ଅନ୍ୟଜଣେ ୭୮ ବର୍ଷୀୟ ଥିବା ଜଣାପଡ଼ିଛି ।
ଜାନୁୟାରୀରୁ ଏବେ ସୁଦ୍ଧା ୬୧ ମୃତ
କରୋନା କାରଣରୁ ଜାନୁୟାରୀରୁ ନେଇ ବର୍ତ୍ତମାନ ସୁଦ୍ଧା ୬୧ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ଦିଲ୍ଲୀରେ ଚଳିତବର୍ଷ କରୋନାରେ ୭ ଜଣ ପ୍ରାଣ ହରାଇଛନ୍ତି । ଦିଲ୍ଲୀରେ ସକ୍ରିୟଙ୍କ ସଂଖ୍ୟା ଏବେ ୬୬୫ରେ ପହଞ୍ଚିଛି ।