ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତର ଜୋରଦାର ହମଲାରେ ବିଚଳିତ ପାକିସ୍ତାନ ଏବେ ଖୁଲମଖୁଲା ଆମେରିକାଠୁ ଉନ୍ନତ ଏୟାର ଡିଫେନ୍ସ ସିଷ୍ଟମର ଗୁହାରି କରୁଛି । ୱାଶିଂଟନରେ ବର୍ତ୍ତମାନ ଥିବା ପାକିସ୍ତାନୀ ପ୍ରତିନିଧିମଣ୍ଡଳର ସଦସ୍ୟ ଓ ଶେହବାଜ ସରିଫ କ୍ୟାବିନେଟର ମନ୍ତ୍ରୀ ମୁସାଦିକ ମଲିକଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ତାଙ୍କୁ ଆମେରିକାକୁ ଏୟାର ଡିଫେନ୍ସ ସିଷ୍ଟମ ଓ ଫାଇଟର ଜେଟ୍ ବିକ୍ରି କରିବାକୁ ଗୁହାରି କରୁଥିବା ଦେଖିବାକୁ ମିଳିଛି ।
ଭାଇରାଲ ହେଉଥିବା ଭିଡିଓରେ ମଲିକ କହୁଛନ୍ତି, ଭାରତ ୮୦ ବିମାନ ଓ ୪୦୦ କ୍ଷେପଣାସ୍ତ୍ର ସହ ଆସିଥିଲା । ଏହି ବିମାନଗୁଡିକ ଆଣବିକ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ । ଆପଣ ଜାଣି ପାରୁଛନ୍ତି ଆମ ସହିତ କଣ ହୋଇଥାଆନ୍ତା । ଯଦି ଆମ ପାଖରେ ଏୟାର ଡିଫେନ୍ସ ସିଷ୍ଟମ ନ ଥାଆନ୍ତା ତେବେ ଆମେ ଧ୍ୱଂସାବଶେଷରେ ପରିଣତ ହୋଇଥାନ୍ତୁ । ଭାରତ ଉନ୍ନତ ଟେକ୍ନୋଲୋଜିର ବ୍ୟବହାର କରୁଛି । ସେମାନେ ବହୁତ ଆଡଭାନ୍ସ । ଆପଣ ସେହି ଟେକ୍ନୋଲୋଜି ନେଇ ଆସନ୍ତୁ, ଆମେ ଆପଣଙ୍କଠୁ କିଣିବାକୁ ପ୍ରସ୍ତୁତ ।
ମଲିକଙ୍କ ଏହି ବୟାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିପରୀତ ରହିଛି । ଶେହବାଜ ସରିଫ ପୁରା ଦୁନିଆରେ ଭାରତକୁ ପରାସ୍ତ କରିଥିବାର ଡିଣ୍ଡିମ ପିଟୁଛନ୍ତି । ଏପରିକି ଏହି ଖୁସିରେ ପାକିସ୍ତାନୀ ସେନାର ପ୍ରମୁଖ ଜେନେରାଲ ସୈୟଦ ଅସୀମ ମୁନୀରଙ୍କୁ ଫିଲ୍ଡ ମାର୍ଶଲର ଉପାଧି ମଧ୍ୟ ଦେଇ ଦେଲେ । ଏହି ଉପାଧି ଭାରତ ବିରୋଧରେ ବିଜୟ ପାଇଁ ତାଙ୍କୁ ପ୍ରଦାନ କରାଯାଇଛି ।
ଶେହବାଜ ସରିଫ ନିଜେ ସ୍ୱୀକାର କରିଥିଲେ ଯେ, ଭାରତ ରାୱଲିପଣ୍ଡି ସହିତ ଅନେକ ପାକିସ୍ତାନ ଅଞ୍ଚଳରେ ମିସାଇଲ ମାଡ କରିଛି । ଭାରତ ନିଜର ବ୍ରହ୍ମୋସ ମିସାଇଲ ମାଡ କରିଛି, ଯାହା ପାକିସ୍ତାନର ଅନେକ ପ୍ରାନ୍ତକୁ ହିଟ୍ କରିଛି । ଆମର ଅନେକ ଏୟାରବେସ ଧ୍ୱଂସ ହୋଇଛି । ଏହା ସତ୍ତ୍ୱେ ବି ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତକୁ ହରାଇଥିବାର ବିଚିତ୍ର ଦାବି କରୁଛନ୍ତି । କିନ୍ତୁ ଏବେ ତାଙ୍କର ପ୍ରତିନିଧି ମଣ୍ଡଳ ଭାରତ କେମିତି ଆମ ଉପରେ ହମଲା କରିଥିଲା ତାହା ବିଦେଶରେ ବଖାଣୁଛନ୍ତି ।