ଡେରାଡୁନ୍ : ଏବେ ଗ୍ରୀଷ୍ମ ଛୁଟି ପାଇଁ ସମସ୍ତେ ହିଲ୍ ଷ୍ଟେସନ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନ ବୁଲିବାକୁ ଯାଉଛନ୍ତି । ସେହିପରି ଦିଲ୍ଲୀର ଜଣେ ୬୨ ବର୍ଷୀୟ ବୃଦ୍ଧ ବି ମସୁରୀ ବୁଲିବାକୁ ଆସିଥିଲେ । ହେଲେ ହଠାତ୍ ହୃତଘାତ ଆସିବାରୁ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଉଥିଲା, ହେଲେ ଲମ୍ବା ଭିଡ଼ରେ ଦୀର୍ଘ ସମୟ ଧରି ଫଶିବା କାରଣରୁ ଗାଡ଼ି ଆଗକୁ ଯାଇପାରୁନଥିଲା, ଏହାରି ଭିତରେ ସେଇଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।
ରାସ୍ତା ସଫା କରିବାକୁ ଲାଗିଲା ୪୫ ମିନିଟ୍
ସୂଚନା ମୁତାବିକ, ଦିଲ୍ଲୀର ୬୨ ବର୍ଷୀୟ କମଲ କୁମାର ଟଣ୍ଡନ ଡେରାଡୁନର ମସୁରିସ୍ଥିତ ପୈତୃକ ଗ୍ରାମକୁ ଯାଇଥିଲେ। ମସୁରିର ଲାଇବ୍ରେରି ଛକରେ ତାଙ୍କ ପରିବାର ରୁହନ୍ତି। ସେଠାରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟାରେ ତାଙ୍କୁ ହୃଦଘାତ ହୋଇଥିଲା। ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ୨/୩ ଘଣ୍ଟା ପରେ ପହଞ୍ଚିବ ବୋଲି କହିବାରୁ ସେମାନେ ନିଜ କାରରେ କମଲଙ୍କୁ ଡାକ୍ତରଖାନା ନେବାକୁ ଉଦ୍ୟମ କରିଥିଲେ। ଲାଇବ୍ରେରୀ ଛକ ନିକଟରେ ଟ୍ରାଫିକ ସମସ୍ୟା ଯୋଗୁ ଗାଡ଼ି ଆଗକୁ ଯାଇପାରି ନ ଥିଲା। ପୁଲିସ ଏସକର୍ଟ ଯୋଗାଇ ଦେଇଥିଲେ ବି ୪ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ୧ ଘଣ୍ଟାରୁ ଅଧିକ ସମୟ ଚାଲିଯାଇଥିଲା। ପୋଲିସ ଏବଂ ସ୍ଥାନୀୟ ଲୋକମାନେ ରାସ୍ତା ସଫା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏଥିରେ ପ୍ରାୟ ୪୫ ମିନିଟ୍ ସମୟ ଲାଗିଥିଲା, ଯାହାଫଳରେ ଡାକ୍ତରଖାନାରେ ପହଞ୍ଚିବା ଆଗରୁ କାର୍ ଭିତରେ ହିଁ କମଲଙ୍କ ଜୀବନ ଚାଲିଯାଇଥିଲା।
ପ୍ରଶାସନ ଅବହେଳାର ଅଭିଯୋଗ ଆଣିଲେ ପରିବାର
କମଲଙ୍କ ଭଣଜା ଅର୍ଜୁନ କହିଛନ୍ତି ଯେ, କେବଳ ଟ୍ରାଫିକ ସମସ୍ୟା ଯୋଗୁ ତାଙ୍କ ଦାଦା ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିପାରିଲେ ନାହିଁ। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଲା। ଆମ୍ବୁଲାନ୍ସ ବି ମିଳିଲାନି। ଏନେଇ ପରିବାର ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଉପରେ ଅବହେଳାର ଅଭିଯୋଗ ଆଣିଛନ୍ତି। ରାସ୍ତାରେ ଲୋକମାନେ ମନଇଚ୍ଛା ଗାଡ଼ି ଚାଳନା କରୁଛନ୍ତି, ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। କମଲ ଟଣ୍ଡନଙ୍କ ଭଣଜା ଅର୍ଜୁନ କହିଛନ୍ତି, 'ଆମେ ଛୁଟି ପାଳନ କରିବାକୁ ଆସିଥିଲୁ, କିନ୍ତୁ ଏବେ ଆମେ ଏକ ମୃତଦେହ ସହିତ ଫେରୁଛୁ।' ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।