'କକ୍ରୋଚ୍ ଜନତା ପାର୍ଟି' (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସେ ଚଳିତ ସପ୍ତାହରେ ଆମେରିକାରୁ ଭାରତ ଫେରିବେ ଏବଂ ଦେଶରେ ପରୀକ୍ଷା ସମ୍ପର୍କିତ ଅନିୟମିତତା ଓ ଦୁର୍ନୀତି ବିରୋଧରେ ରାଜଧାନୀ ଦିଲ୍ଲୀରେ ଏକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବେ। ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ସେ ଦେଶର ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ସୂର୍ଯ୍ୟକାନ୍ତଙ୍କ ଏକ ଟିପ୍ପଣୀ ପରେ ଗତ ମେ ୧୬ ତାରିଖରେ 'କକ୍ରୋଚ୍ ଜନତା ପାର୍ଟି' ନାମକ ଏହି ସଂଗଠନ ଗଢ଼ାଯାଇଥିଲା, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି। ଏହାର ପ୍ରତିଷ୍ଠାତା ଅଭିଜିତ ଦୀପକେ ବର୍ତ୍ତମାନ ଆମେରିକାର ବୋଷ୍ଟନ ୟୁନିଭର୍ସିଟିରେ ପାଠ ପଢୁଛନ୍ତି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
ଅଭିଜିତ ଦୀପକେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ପରୀକ୍ଷାରେ ହେଉଥିବା ଦୁର୍ନୀତି ଓ ଅନିୟମିତତା ପାଇଁ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବାକୁ ଭାରତ ଫେରୁଛନ୍ତି। ସେ ଜୁନ୍ ୬ ତାରିଖ (ଶନିବାର) ସକାଳେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବେ। ଦେଶର ଛାତ୍ର ଓ ଯୁବସମାଜ ବଡ଼ ସଂଖ୍ୟାରେ ଦିଲ୍ଲୀର ଜନ୍ତର-ମନ୍ତରଠାରେ ହେବାକୁ ଥିବା ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କୁ ଜବାବ ମାଗିବା ପାଇଁ ସେ ନିଜର ସାମ୍ବିଧାନିକ ଅଧିକାରର ପ୍ରୟୋଗ କରନ୍ତୁ ବୋଲି ସେ ଅପିଲ୍ କରିଛନ୍ତି।
ଯୁବବର୍ଗଙ୍କୁ ଅଭିଜିତଙ୍କ ସନ୍ଦେଶ
ଅଭିଜିତ ନିଜ ଭିଡିଓ ବାର୍ତ୍ତାରେ କହିଛନ୍ତି, "ଏବେ ସମୟ ଆସିଯାଇଛି ଯେ ଆମେ ସମସ୍ତେ ଭାରତର ସମ୍ବିଧାନର ମାର୍ଗରେ ଚାଲି ଏକଜୁଟ୍ ହେବା ଏବଂ ଶାନ୍ତିପୂର୍ଣ୍ଣ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା। ଯଦି ଆମେ ସମସ୍ତେ ମିଶି ସ୍ୱର ଉତ୍ତୋଳନ କରିବା, ତେବେ ସେମାନଙ୍କୁ ଆମ କଥା ନିଶ୍ଚିତ ଶୁଣିବାକୁ ପଡ଼ିବ।" ସେ ତାଙ୍କ ସମର୍ଥକମାନଙ୍କୁ ଜୁନ୍ ୬ ତାରିଖରେ ଏୟାରପୋର୍ଟକୁ ଆସିବାକୁ ଅନୁରୋଧ କରିଛନ୍ତି। ସେଠାରୁ ସମସ୍ତେ ମିଶି ସଂସଦ ମାର୍ଗ ଥାନାକୁ ଯାଇ ଜନ୍ତର-ମନ୍ତରଠାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପାଇଁ ଅନୁମତି ମାଗିବେ। ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇ ଦେଇଛି ବୋଲି ସେ ଆରୋପ ଲଗାଇଛନ୍ତି।
ଚର୍ଚ୍ଚାରେ 'କକ୍ରୋଚ୍ ଜନତା ପାର୍ଟି'
ସୋସିଆଲ ମିଡିଆରେ ଡିଜିଟାଲ୍ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ସଂଗଠନର ଦେଖୁ ଦେଖୁ ଲକ୍ଷ ଲକ୍ଷ ଫଲୋଅର୍ସ ହୋଇସାରିଛନ୍ତି। ଅନେକ ଜଣାଶୁଣା ବ୍ୟକ୍ତିତ୍ୱ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଏହି ପାର୍ଟିର ତାକତ ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ (@cockroachjantaparty) ରୁ ଜଣାପଡ଼ୁଛି।